ଓଡ଼ିଶା ବିଜେପିରେ ଫାଟ, ସମ୍ବିତଙ୍କ ପଟକୁ ଢଳୁଛନ୍ତି ଧର୍ମେନ୍ଦ୍ର-ସମର୍ଥକ
କେନ୍ଦ୍ର ନେତୃତ୍ବର ଆଶୀର୍ବାଦରେ ଧର୍ମେନ୍ଦ୍ର ରାଜନୈତିକ ସ୍ଥିରତା ସନ୍ଧାନରେ ଥିବାବେଳେ ସଂଘ ଓ ସଂଗଠନ ଆଶୀର୍ବାଦରେ ଅସ୍ଥିରତା ଭିତରୁ ଫାଇଦା ନେବାକୁ ଆଗେଇ ଆସିଛନ୍ତି ସମ୍ବିତ।

ଓଡ଼ିଶାରେ ବିଜେପିର ଅବସ୍ଥା ଏବେ ମଇଁଷି ଶିଙ୍ଗ ଭଳି ହେବାକୁ ଯାଉଛି। ଯୁଝିଲା ବେଳକୁ ବିଜେପି ଏକାଠି ଥିବା ଭଳି ଜଣାପଡ଼ୁଥିଲେ ବି ଦଳ ଭିତରେ ଏକାଧିକ ଫଟା ସିଙ୍ଗ ଗଜୁରିବାରେ ଲାଗିଛି। ଦଳରେ ୧୦ ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କର ନେତୃତ୍ବକୁ ଗୁରୁତ୍ବ ଦିଆ ହୋଇ ଆସୁଥିବାବେଳେ ଏବେ ତାଙ୍କର ବିକଳ୍ପ ଭାବେ ଉଭା ହୋଇଛନ୍ତି ସମ୍ବିତ ପାତ୍ର। ଅନ୍ୟପଟେ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଭିନେ ଗୋଷ୍ଠୀ ଗଢ଼ି ଏକାକୀ ନିଜ ଶିଙ୍ଗରେ ମାଟି ଖୋଳି ଚାଲିଛନ୍ତି।
ବୁଦ୍ଧିମତା, ଶାଳୀନତା, ବାକ୍ପଟୁତା, ରାଜନୈତିକ ଅଭିଜ୍ଞତା, ନେତୃତ୍ବ ନେବାର ଯୋଗ୍ୟତା ଆଦି ସବୁ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କଠାରୁ ଯଥେଷ୍ଟ ଆଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ। ଅଯଥା ଧର୍ମାନ୍ଧ ଓ ଉତ୍ତେଜନାପୂର୍ଣ ଭାଷଣ ଦେବାଠାରୁ ସବୁବେଳେ ଦୂରରେ ରହୁଥିବା ଧର୍ମେନ୍ଦ୍ର ସର୍ବସାଧାରଣରେ ବକ୍ତବ୍ୟ ରଖିବାବେଳେ ମାପଚୁପ ଶବ୍ଦ ପ୍ରୟୋଗ କରିଥାଆନ୍ତି। ଅନ୍ୟପଟେ ଅଧିକାଂଶ ସମୟରେ, ବିଶେଷ କରି ଗଣମାଧ୍ୟମରେ ବକ୍ତବ୍ୟ ରଖିବାବେଳେ ଉତ୍ତେଜନାପୂର୍ଣ ଏପରିକି ହାସ୍ୟାସ୍ପଦ କଥା କହିବାରେ ସମ୍ବିତ ଜଣାଶୁଣା। ଛାତ୍ର ସମୟରୁ ଧର୍ମେନ୍ଦ୍ର ରାଜନୀତି ଓ ବିଜେପି-ସମର୍ଥିତ ସାଂଗଠନିକ କାମରେ ଜଡ଼ିତ ରହିବା ସହ ଦୀର୍ଘ ୪୦ ବର୍ଷର ରାଜନୈତିକ ଅଭିଜ୍ଞତା ହାସଲ କରିଛନ୍ତି। ସେଇ ତୁଳନାରେ ୨୦୧୦ ମସିହାରେ ରାଜନୀତିକୁ ଆସିଥିବା ସମ୍ବିତ ୨୦୧୨ ମସିହାଠାରୁ ବିଜେପିରେ ସକ୍ରିୟ ଅଛନ୍ତି। ବୁଦ୍ଧିଜୀବୀ ମହଲରେ ସମ୍ବିତଙ୍କୁ ପ୍ରାୟତ କେହି ଗୁରୁତର ସହ ଗଣୁନଥିବାବେଳେ ଧର୍ମେନ୍ଦ୍ରଙ୍କୁ ବୁଦ୍ଧିଜୀବୀଙ୍କ ପ୍ରଚୁର ସମର୍ଥନ ରହିଛି।
ଏସବୁ ସତ୍ତ୍ବେ ବିଜେପି ଏବେ ସମ୍ବିତଙ୍କୁ ଧର୍ମେନ୍ଦ୍ରଙ୍କ ବିକଳ୍ପ ଭାବେ ବାଛିବାକୁ ଉଦ୍ୟତ ହେଉଥିବା ପରି ମନେହେଉଛି। କ’ଣ ଏହା ପଛର ରହସ୍ୟ?
୨୦୧୯ ସାଧାରଣ ନିର୍ବାଚନରେ ସମ୍ବିତ ଓଡ଼ିଶାବାସୀଙ୍କ ସହ ନିକଟତର ହୋଇଥିଲେ। ସାଂଗଠନିକ ରାଜନୀତିରୁ ଆସି ସେ ପୁରୀ ଲୋକସଭା କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ପରାଜିତ ହୋଇଥିଲେ ବି ତାଙ୍କ ଭୋଟ ହାର ଅଧିକ ରହିଥିଲା। ଏଭଳି ଭୋଟ ପୂର୍ବରୁ ଓଡ଼ିଶାରେ କ୍ବଚିତ ପରାଜିତ ନେତା ହାସଲ କରିଥିଲେ। ସମ୍ବିତଙ୍କ ପ୍ରତି ଜନସମର୍ଥନ ବିଜେପି ଭିତରେ ସାମାନ୍ୟ ଆଶାସଂଚାର କରିଛି।

ଅନ୍ୟପଟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଧର୍ମେନ୍ଦ୍ରଙ୍କ ପ୍ରତି କୌଣସି କାରଣରୁ ଏବେ ପରିଷଦର ରାଜ୍ୟ ନେତୃତ୍ବ ଅସନ୍ତୁଷ୍ଟ ଅଛନ୍ତି। ୨୦୨୪ ନିର୍ବାଚନରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ ବୋଲି ପୂର୍ବରୁ ସୂଚନା ଦେଇଥିବା ଧର୍ମେନ୍ଦ୍ର ସମ୍ବଲପୁର ଓ ଢେଙ୍କାନାଳ ଉଭୟ ଲୋକସଭା କ୍ଷେତ୍ରକୁ ଆଖିରେ ରଖି ନିଜର ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ବିଜେପିକୁ ନୈତିକ ଓ ରାଜନୈତିକ ସମର୍ଥନ ଦେଇ ଆସୁଥିବା ଏବିଭିପି ଓ ଆର୍ଏସ୍ଏସ୍ ରାଜ୍ୟରେ ଧର୍ମେନ୍ଦ୍ରଙ୍କ ଅପେକ୍ଷା ସମ୍ବିତଙ୍କୁ ଅଧିକ ଯୋଗ୍ୟ ବୋଲି ବିଚାର କରୁଛନ୍ତି। ଏପରିକି ତୃଣମୂଳ ସ୍ତରର ସୂଚନା ଅନୁସାରେ ଢେଙ୍କାନାଳରେ ପୁରୁଖା ବିଜେପି ନେତା, ବିଶେଷ କରି ଏବିଭିପି-ଆର୍ଏସ୍ଏସ୍ ସହ ସଂପୃକ୍ତ ନେତା ଓ କର୍ମୀ ଧର୍ମେନ୍ଦ୍ରଙ୍କ ପ୍ରତି ବିମୁଖ ଅଛନ୍ତି।
ଓଡ଼ିଶାରେ ବିଜେପିର ସଭାପତି ବଦଳ ପରେ ଏବେ ଜିଲ୍ଲାସ୍ତରରେ ମଧ୍ୟ ସାଂଗଠନିକ ପରିବର୍ତନ ଆଭିମୁଖ୍ୟ ରଖିଛି ବିଜେପି। ଧର୍ମେନ୍ଦ୍ରଙ୍କ ଅତି ନିକଟତର ନେତାଙ୍କୁ ଗୌଣ କରି ଏବିଭିପି-ଆର୍ଏସ୍ଏସ୍ ସଂପୃକ୍ତି ଥିବା ନେତାଙ୍କୁ ଜିଲ୍ଲାମାନଙ୍କରେ ସାଂଗଠନିକ ଦାୟିତ୍ବ ହସ୍ତାନ୍ତର ପାଇଁ ଖସଡ଼ା ପ୍ରସ୍ତୁତ ହେଉଛି। ଅଚଳ ମହାମେରୁ ଭଳି ଚୁପଚାପ ବସି ରହିଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କର ଧର୍ମେନ୍ଦ୍ରଙ୍କ ନେତୃତ୍ବ ପ୍ରତି ବିତୃଷ୍ଣା ରହିଛି। ଅପରାଜିତା ଷଡ଼ଙ୍ଗୀ ଖୋଲାଖୋଲି ଭାବେ ଧର୍ମେନ୍ଦ୍ରଙ୍କଠାରୁ ଦୂରେଇ ନିଜର ଏକ ସମାନ୍ତରାଳ ସଂଗଠନ ଠିଆ କରିଛନ୍ତି। ଏଭଳି ଏକ ସମୟରେ ନାନାଦି ଅଯୋଗ୍ୟତା ସତ୍ତ୍ବେ ସମ୍ବିତ ପାତ୍ର ଓଡ଼ିଶା ବିଜେପିରେ ଏକ ବିକଳ୍ପ ନେତୃତ୍ବ ଦେଇପାରିବେ ବୋଲି ସଂଗଠନ ଆକଳନ କରୁଛି।

ଧର୍ମେନ୍ଦ୍ରଙ୍କ ସହ ଏକଦା ଖୁବ୍ ଅନ୍ତରଙ୍ଗ ଥିବା ବହୁ ନେତା, ବିଶେଷକରି ଯୁବକମାନେ, ଏବେ ସମ୍ବିତଙ୍କ ବଳୟ ଭିତରକୁ ଟାଣିହୋଇ ଯିବାର ଦେଖିବାକୁ ମିଳୁଛି। ଏବିଭିପି ଓ ଆର୍ଏସ୍ଏସ୍ରୁ ଆସି ଏବେ ପ୍ରତ୍ୟକ୍ଷ ରାଜନୀତି ପାଇଁ ଆଶାୟୀ ବହୁ ଯୁବକ ସମ୍ବିତଙ୍କ ସହ ଯୋଡ଼ି ହୋଇଛନ୍ତି। ଏପରିକି ଧର୍ମେନ୍ଦ୍ରଙ୍କ ହାତ ଧରି ରାଜନୀତିର ବାଟ ଚାଲିବା ଶିଖୁଥିବା ଯୁବକମାନେ ବି ସମ୍ବିତଙ୍କ ଲାଞ୍ଜ ଧରିବା ଆରମ୍ଭ କରିଛନ୍ତି। ଏଇ ମଉକାରେ ସମ୍ବିତ ଭୁବନେଶ୍ବରରେ ଏକ ପୂର୍ଣକାଳୀନ କାର୍ଯ୍ୟାଳୟ ଖୋଲିବା ସହ ଏବିଭିପି-ଆର୍ଏସ୍ଏସ୍ରୁ ପିଲାମାନଙ୍କୁ ଆଣି କର୍ମସଂସ୍ଥାନ ଦେଇଛନ୍ତି। କେନ୍ଦ୍ର ନେତୃତ୍ବର ଆଶୀର୍ବାଦରେ ଧର୍ମେନ୍ଦ୍ର ରାଜନୈତିକ ସ୍ଥିରତା ସନ୍ଧାନରେ ଥିବାବେଳେ ସଂଘ ଓ ସଂଗଠନ ଆଶୀର୍ବାଦରେ ଅସ୍ଥିରତା ଭିତରୁ ଫାଇଦା ନେବାକୁ ଆଗେଇ ଆସିଛନ୍ତି ସମ୍ବିତ। ବିଜେଡି ଓ କଂଗ୍ରେସ ବିରୋଧରେ ଲଢ଼ିବାକୁ ତିଆର ହେଉଥିବା ବିଜେପି ୨୦୨୪ ନିର୍ବାଚନ ପୂର୍ବରୁ ଏକ ଅନ୍ତର୍ଦ୍ବନ୍ଦ୍ବର ସମ୍ମୁଖୀନ ହେବ। ରାଜ୍ୟରେ କିଏ ନେତୃତ୍ବ ନେବ ସେ ନେଇ ସ୍ପଷ୍ଟ ଓ ସର୍ବଗ୍ରାହୀ ସ୍ଥିତି ନଗଢ଼ିବା ଯାଏଁ ଓଡ଼ିଶାରେ ବିଜେପି ଆଗକୁ ବଢ଼ିବାର ବାଟ ପାଇବନାହିଁ।