କ୍ୟାନ୍ସର ରୋଗୀଙ୍କୁ ୧ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଜଣେ ବ୍ୟକ୍ତି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ

ଓଏଲ୍ ବ୍ୟୁରୋ: ଜଣେ କ୍ୟାନ୍ସର ରୋଗୀଙ୍କ ପାଇଁ ପୁଣି ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ବାଲେଶ୍ୱର ଜିଲ୍ଲା ଓଉପଦା ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମର ବରେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ପରିବାର ଲୋକେ ନିକଟସ୍ଥ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ।
ଖବର ପାଇବା ପରେ ନିକଟସ୍ଥ ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଇଶ୍ୱରପୁର ଗ୍ରାମ ଅଭିମୁଖେ ବାହାରିଯାଇଥିଲା। ମାତ୍ର ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୧ କି.ମି ଦୂରରେ ଅଟକି ରହିଥିଲା। ପରେ ୧୦୮ ଆମ୍ବୁଲାନ୍ସ ଇଏମଟି ବିଜୟୀ କିସନ ସେନ୍ଦ୍, ଡ୍ରାଇଭର ଗୟାଧର ଦାସ ଏବଂ ଆଟେଂଡାଂଟ ପ୍ରଶାନ୍ତ କୁମାର ବେହେରା ଏକ ଷ୍ଟ୍ରେଚର ଧରି ଯାଇ ରୋଗୀଙ୍କ ନୀକଟରେ ପହଂଚିଥିଲେ।
ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ପରିବାର ଲୋକଙ୍କ ସହାୟତାରେ ରୋଗୀଙ୍କୁ ଷ୍ଟ୍ରେଚରରେ ୧ କି.ମି ରାସ୍ତା ଚାଲି ଚାଲି ଆଣି ଆମ୍ବୁଲାନ୍ସ ନୀକଟରେ ପହଂଚାଇଥିଲେ। ପରେ ସେଠାରୁ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଏଭଳି ଏକ କଷ୍ଟକର ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏପରି କାର୍ଯ୍ୟକୁ ସଭିଏଁ ପ୍ରଶଂସା କରିଛନ୍ତି।