Odisha Link
Bridging the Missing Links in Odisha

ଲୋକେ ନିଷ୍ପତି ନେବେ କିଏ କେତେ ସିଟ୍ ନେବ: ତାରା ପ୍ରସାଦ ବାହିନୀପତି

ଲାଗୁଛି ବିଧାନସଭାର ଆଉ କିଛି ସିଟ୍ ବଢାଇବାର ଆବଶ୍ୟକତା ରହିଛି

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ନିର୍ବାଚନକୁ ନଜରରେ ରଖି ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏହାରି ମଧ୍ୟରେ ଆଗାମୀ ନିର୍ବାଚନକୁ ନେଇ ଏକ ପ୍ରକାର ଟାର୍ଗେଟ ବଦଳାଇଲା ବିଜେପି। ଆଗାମୀ ନିର୍ବାଚନ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁ ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ୧୨୦କୁ ବେସ୍ କରି କାମ ହେବ ଏବଂ ରାଜ୍ୟରେ ୮୦ରୁ ଅଧିକ ସିଟ୍ ବିଜେପି ପାଇବ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗତଥର ବିଜେପିର ୧୨୦ ଟାର୍ଗେଟ ଥିଲା ଏଥର ୮୦କୁ ଖସିଲା। ବିଜେପି ୮୦ ନେବ, ବିଜେଡି ୧୨୦ ନେବ, କଂଗ୍ରେସ ସଭାପତି କହୁଛନ୍ତି ଏଥର ୯୦। ମାତ୍ର ୧୪୭ଟି ଆସନ, ସେଥିରେ ପୁଣି ଏତେ ଆସନର ହିସାବ ଚାଲିଛି। ଲାଗୁଛି ବିଧାନସଭାର ଆଉ କିଛି ସିଟ୍ ବଢାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି।

ବୁଧାନ ମୁର୍ମୁଙ୍କ ମନ୍ତବ୍ୟକୁ ନେଇ ତାରା ପ୍ରସାଦ ବାହିନୀପତି ଆହୁରି ମଧ୍ୟ କହିଛନ୍ତି, ୨୪ ମୈଦାନରେ ଫୁଟବଲ ଫିଙ୍ଗା ହେବ, ଲଢ଼ା ହେବ ଯାହାର ଦମ ସିଏ ଜିତିବ। କିଏ ପାସ କିଏ ଫେଲ ତାର ବିଚାର ସାଧାରଣ ଜନତା କରିବେ, ତମେ କିମ୍ବା ମୁଁ କରିବିନି। ୨୫ ବର୍ଷ ସରକାରରେ ଲୋକେ ତର୍ଜମା କଲେଣି, ଯୁବକ ଯୁବତୀ କଣ ନିଯୁକ୍ତି ପାଇଛନ୍ତି ତାହାର ତର୍ଜମା କଲେଣି।

କଂଗ୍ରେସ କାହାକୁ ଭୟ କରେନି। ଗତଥର ୧୨୦ ପ୍ଲସ କଥା କହିଥିଲେ, ଡବଲ ଇଞ୍ଜିନ କଥା କହିଥିଲେ। ଶେଷରେ କଣ ହେଲା। କିନ୍ତୁ ଆମର ୯ରୁ ୯୦ ଲକ୍ଷ ରହିଛି। ୧୨୦ ଆସନରେ ଜିତିବୁ, ୮୦ ଆସନରେ ଜିତିବୁ। ଏଭଳି କହିବାକୁ ପାଟିକୁ କଣ ଟ୍ୟାକ୍ସ ପଡୁଛି କି! ତେଣୁ ଆଗାମୀ ଦିନରେ ଲୋକେ ନିଷ୍ପତି ନେବେ କିଏ କେତେ ସିଟ ନେବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି।

ଖବର ଅନୁସାରେ, ସରକାର ଗଢିବାକୁ ଆବଶ୍ୟକ ସଂଖ୍ୟା ଠାରୁ ଆଉ କିଛି ଅଧିକ ଆସନର ଲକ୍ଷ୍ୟ ନେଇ ବିଜେପି ଆଗକୁ ବଢୁଥିବା କହିଛନ୍ତି ବିଧାୟକ ବୁଦ୍ଧାନ ମୁର୍ମୁ। ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ଆମ ଟାର୍ଗେଟ ୮୦ରୁ ଅଧିକ, ଯେମିତି ସରକାର ହୋଇପାରିବ। ସରକାର କରିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ବୈଠକ ଆରମ୍ଭ ହୋଇସାରିଛି ଏବଂ ଅଳ୍ପ ଦିନ ଭିତରେ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ବିଜେପି ବିଧାୟକ ବୁଧାନ ମୁର୍ମୁ କହିଛନ୍ତି।

Leave A Reply

Your email address will not be published.