ଅଗ୍ନିଶମ ବିଭାଗର ୪୫ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମୋହର
ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଅଧିକ ସୁଦୃଢ଼ ହେବ

ଓଏଲ୍ ବ୍ୟୁରୋ: ଅଗ୍ନିଶମ ବିଭାଗର ୪୫ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର ପ୍ରଦାନ କରିଛନ୍ତି। ୩ ମେଡିକାଲ ଯଥା କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଅଗ୍ନିସୁରକ୍ଷା ପାଇଁ ୪୫ଟି ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଞ୍ଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡ଼ିକ ହେଲା, ୩ଟି ଷ୍ଟେସନ ଅଫିସର, ୪ଟି ଲିଡିଂ ଫାୟାରମ୍ୟାନ, ୩ଟି ହାବିଲଦାର, ତିନିଟି ଫାୟାରମ୍ୟାନ ଡ୍ରାଇଭର ଓ ୩୦ଟି ଫାୟାରମ୍ୟାନ ପଦବୀ।
ଖବର ଅନୁସାରେ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗର ବିଭିନ୍ନ ସ୍ତରରେ ୪୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।