ଆଇଟି ରେଡ୍: ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଜେରା
କେତେ ଟଙ୍କା ଟିକସ ଫାଙ୍କିଛି ତଦନ୍ତକାରୀ ଟିମ୍ ତାହା ସ୍ପଷ୍ଟ କରିନି

ଓଏଲ୍ ବ୍ୟୁରୋ: ଆଜି ଚତୁର୍ଥ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି। ନୟାପଲ୍ଲୀ ମୁଖ୍ୟ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚାଲିଥିବା ସୂଚନା ମିଳିଛି। ଆଇଆର୍ସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ରେଡ୍ ଚାଲିଛି। ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ଟିମ୍ ପକ୍ଷରୁ ଜେରା କରାଯାଉଥିବା ସୂଚନା ମିଳିଛି।
ତଦନ୍ତ ବେଳେ ମିଳିଥିବା ପେନ୍ ଡ୍ରାଇଭ ଓ ହାର୍ଡ ଡିସ୍କକୁ ନେଇ ତନାଘନା ଚାଲିଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜମି ହାତେଇବା ନେଇ ଚର୍ଚ୍ଚା ହେଉଥିବାବେଳେ ଏନେଇ ମଧ୍ୟ ଜେରା ଚାଲିଛି। କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତଦନ୍ତକାରୀ ଟିମ୍ ତାହା ସ୍ପଷ୍ଟ କରିନି।
ସୂଚନା ଅନୁସାରେ, ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିଥିଲା। ଯାହାପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ୨ ଜଣ ଅଧିକାରୀଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚରା କରୁଥିବା ସୂଚନା ମିଳିଛି। ଯେଉଁ କର୍ମଚାରୀଙ୍କ ଘରୁ ନଗଦ ୩୦କୋଟି ଟଙ୍କା ଜବତ ହୋଇଥିଲା।
ଆୟକର ବିଭାଗର କର୍ମଚାରୀ ତାଙ୍କୁ ପଚରାଉଚରା କରୁଥିବା ସୂଚନା ମଳିଛି। ଚଢାଉ ବେଳେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା। ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା। କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା। ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ।