ବ୍ୟାପୁଛି ଆଖି ଧରା ସଂକ୍ରମଣ, ବିଦ୍ୟାଳୟ ପାଇଁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ
ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ନ ପଠାଇବାକୁ ଗତ କାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଏବେ ବୃଦ୍ଧି ପାଉଛି ଆଖି ଧରା ରୋଗ। ଋତୁ ପରିବର୍ତ୍ତନ ସାଙ୍ଗକୁ ଅସ୍ୱାଭାବିକ ଭାବେ ଏହି ରୋଗ ମାଡୁଛି। ଭୁବନେଶ୍ୱର, କଟକ, ଯାଜପୁର ସମେତ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହି ରୋଗରେ ଅନେକ ଲୋକ ଆକ୍ରାନ୍ତ ହୋଇଥିବାର ନଜରକୁ ଆସିଛି।
ବିଶେଷଜ୍ଞଙ୍କ ମତାନୁଯାୟୀ ଏହା ଏକ ସଂକ୍ରାମକ ରୋଗ। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ପ୍ରତି ବିଦ୍ୟାଳୟର ପାଖାପାଖି ୧୩ରୁ ୧୪ ପିଲା ଆଖି ଧରା ରୋଗରେ ସଂକ୍ରମିତ ଥିବା ଜଣା ପଡିଛି। ତେବେ ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ନ ପଠାଇବାକୁ ଗତ କାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ।
ଆଜି ଆଖି ଧରାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଉ ଏକ ସୂଚନା ଦେଇଛନ୍ତି। ଆଜି ଆଖି ଲାଗି ସ୍କୁଲ୍କୁ ନିର୍ଦ୍ଦେଶାବଳୀ ଜାରି ହୋଇପାରେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେତେ ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି ତଥ୍ୟ ଆସି ନାହିଁ। ତଥ୍ୟ ଆସିବା ପରେ ଆବଶ୍ୟକ ପଡ଼ିଲେ ସ୍କୁଲ ଲାଗି ନିର୍ଦ୍ଦେଶାବଳୀ ଆସିବ। ଅଭିଭାବକଙ୍କୁ ଅନୁରୋଧ ଆଖି ଧରିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।