ଭିଜୁଛି ଉପକୂଳ ଓଡ଼ିଶା! ଅନେକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଓଏଲ୍ ବ୍ୟୁରୋ: ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଲାଗି ରହିଥିବାବେଳେ କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ଅନୁଭୂତ ହୋଇଛି। ମୌସୁମୀ ବାୟୁ ରାଜ୍ୟରେ ପ୍ରବେଶ କରିଥିବା ସତ୍ତ୍ବେ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବଭାବିକ ବର୍ଷା ହୋଇ ପାରିନାହିଁ। ଅନେକ ଜିଲ୍ଲାରେ ମରୁଡି ଆଶଙ୍କା କରାଯାଉଛି। ଏସବୁ ମଧ୍ୟରେ ଆଜି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କହୁଛି, ୧୦ ଓ ୧୧ ତାରିଖରେ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ୧୧ ତାରିଖ ପରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ। ମୌସୁମୀର ନିମ୍ନ ଚାପରେଖା କ୍ଷେତ୍ର ପୁଣି ତଳକୁ ଆସିବ। ଏହା ପ୍ରଭାବରେ ଏକ ଘୂର୍ଣ୍ଣିବଳୟ ବି ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।