ନିଜ ଦଳ ନେତାଙ୍କ ବେଆଇନ କାମ ବେଳେ ଅପରାଜିତାଙ୍କ ମୁହଁ ବନ୍ଦ: ଶ୍ରୀମୟୀ ମିଶ୍ର
ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି। ଆଜି ସକାଳେ ଭୁବନେଶ୍ବର ସାଂସଦ ଅପରାଜତି ଷଡ଼ଙ୍ଗୀ ଟ୍ବିଟ୍ କରି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରୋକିବାକୁ ଚେଷ୍ଟା କରିଥିଲେ। କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ କରିଥିଲେ। ଏଥିପାଇଁ ନା ଲଜ୍ଜିତ ହୋଇଛନ୍ତି ନା କ୍ଷମା ମାଗିଛନ୍ତି। ନିଜ ଦଳ ନେତାଙ୍କ ବେଆଇନ୍ କାମ ବେଳେ ମୁହଁ ବନ୍ଦ। ରାଜ୍ୟ ବିକାଶ ଦେଖି ଅପରାଜିତା ଇର୍ଷାପରାୟଣ ହେଉଛନ୍ତି ବୋଲି ବିଜେଡି କହିଛି।
@AprajitaSarangi You did not feel ashamed when your party leaders like Shri. Jaynarayan Mishra and Shri. Irasis Acharya attacked women and tried to defame and malign them. We felt ashamed. Odisha felt ashamed due to their behaviour and your silence.
When people are happy that…— Shreemayee sweta snigdha Mishra (@ShreemayeeM) July 11, 2023
ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗରିବ ନୀରିହ ଦଳିତଙ୍କ ଜମି ହଡ଼ପ ବେଳେ ମଧ୍ୟ ଅପରାଜିତା ପାଟି ଖୋଲିନଥିଲେ। ନିଜ ସଂସଦୀୟ କ୍ଷେତ୍ରରେ ଏପରି କାଣ୍ଡକୁ ବିରୋଧ ମଧ୍ୟ କରିନଥିଲେ। ବୈଜୟନ୍ତଙ୍କ ଏପରି ଜମି ହଡ଼ପକୁ ନେଇ ଓଡ଼ିଶା ଲଜ୍ଜିତ ହୋଇଥିଲା ବେଳେ ଅପରାଜିତା ନିରବ ରହିଥିଲେ। ରାଜ୍ୟର ମନ୍ଦିର, ଧାର୍ମିକସ୍ଥଳୀ, କଲେଜ, ସ୍କୁଲ ରୂପାନ୍ତରଣ ହେଉ, ଏକଥା ଅପରାଜିତା ଚାହୁଁନାହାନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି।
ରୂପାନ୍ତରଣ ନେଇ ସମସ୍ୟା ଥିଲେ ସରକାରଙ୍କୁ କାହିଁକି ଲିଖିତ ଭାବେ ଦେଉନାହାନ୍ତି। ସାହାସ ଥିଲେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକଙ୍କୁ ସେମାନଙ୍କ ଭଲ ପାଇଁ ପଦକ୍ଷେପ ନେଉଥିବା ବୁଝାଇ ଜବାବ ଦେବାକୁ ଶ୍ରୀମୟୀ ଚ୍ୟାଲେଞ୍ଜ ଦେଇଛନ୍ତି। ଇର୍ଷା ନକରି ଲୋକଙ୍କ ପାଖକୁ ଯିବାକୁ ଶ୍ରୀମୟୀ ଟ୍ବିଟ୍ କରିଛନ୍ତି।
ଅନ୍ୟପଟେ ପ୍ରଶାନ୍ତ ମୁଦୁଲି ଗଣମାଧ୍ୟମକୁ କହିଛନ୍ତି, ଏସଏଚଜି ମାଧ୍ୟମରେ ଆଜି ସମାଜରେ ଅବହେଳିତ ହୋଇ ରହିଥିବା ମା’ ଭଉଣୀଙ୍କର ଉତ୍ଥାନ ହୋଇଛି। ସବୁ ସ୍ତରରେ ବିକାଶ ହେଉଛି। ସାମାଜିକ, ମାନସିକ, ଅର୍ଥନୈତିକ ସ୍ତରରେ ମହିଳାଙ୍କ ହୋଇଥିବା ବିକାଶକୁ ଅନ୍ୟମାନେ ସହି ପାରୁନାହାନ୍ତି। ସେଥିପାଇଁ ଏଭଳି ଟିପ୍ପଣୀ ରଖୁଛନ୍ତି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି।
ସୂଚନାଥାଉକି, ଆଜି ସକାଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍ କରି ଟାର୍ଗେଟ କରିଥିଲେ। ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠି ମାଷ୍ଟର ବୁକ କିପର ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି। ସରକାରୀ ଦରମା ନେଉଥିଲା ବେଳେ ନିର୍ଦ୍ଦେଶ ପାଳନ ଶପଥ ନେଉଥିବା ଏକ ଭିଡିଓ ନିଜ ସୋସିଆଲ ମିଡିଆରେ ଅପରାଜିତା ଷଡ଼ଙ୍ଗୀ ପୋଷ୍ଟ କରିଥିଲେ।
ସେ ଆହୁରି କହିଥିଲେ ଯେ, ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ସାରିଛି। ଆମ ସରକାରଙ୍କୁ ନେଇ ଲଜ୍ଜା ଅନୁଭବ ହେଉଛି। କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି। ଏହା ଚିନ୍ତାଜନକ ବିଷୟ, ୨୦୨୪ ନିର୍ବାଚନ ପରେ ଏମିତି ସରକାର ଚାଲିବନି ବୋଲି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।