Odisha Link
Bridging the Missing Links in Odisha

ଆଶ୍ଚର୍ଯ୍ୟକର ଘଟଣା: ମଣିଷ ଖାଇଲା ମଣିଷ ମାଂସ

ମଦ ନିଶାରେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି।

ଓଏଲ୍ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜୁଇରେ ଶବ ପୋଡା ଚାଲିଥିବାବେଳେ ସେ ପୋଡା ମାଂସ ସେଠାରେ ଥିବା କିଛି ଲୋକ ଖାଇଯାଇଥିବା ଜଣା ପଡିଛି। ବର ପୋଡା ମାଂସ ଖାଇବାକୁ ନେଇ ପରିବାର ଲୋକଙ୍କ ସମେତ ପୁରା ଗ୍ରାମବାସୀ ଚକିତ ହୋଇପଡିଛନ୍ତି।

ଖବର ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂଙ୍କ ଦେହ ଅସୁସ୍ଥ ହେବାରୁ ମଙ୍ଗଳବାର ଦିନ ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ଯୁବତୀ ମଧୁସ୍ମିତା ସିଂଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରୁ ଶବ ବ୍ୟବଚ୍ଛେଦ ହୋଇ ଘରକୁ ଆଣିବା ପରେ ଶବ ସତ୍କାର ପାଇଁ ଗାଁ ମଶାଣିକୁ ନେଇଥିଲେ।

ଶବ ପୋଡା ଚାଲିଥିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା, ଯାହା ଉପସ୍ଥିତ ଲୋକଙ୍କୁ ଚକିତ କରିଥିଲା। ଦୁଇ ଜଣ ଲୋକ ଶବର ପୋଡା ମାଂସକୁ ଆଣି ଖାଇବାକୁ ଲାଗିଥିଲେ। ଏହା ଦେଖି ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ। ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖିଥିବାବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି। ତେବେ ମଦ ନିଶାରେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.