Odisha Link
Bridging the Missing Links in Odisha

ଆସନ୍ତାକାଲି ଲଞ୍ଚ୍ ହେବ ଚନ୍ଦ୍ରଯାନ-୩, ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ ଆରମ୍ଭ

ଆନ୍ଧ୍ର ପ୍ରଦେଶର ତିରୁପତି ମନ୍ଦିରରେ ଇସ୍ରୋ ବୈଜ୍ଞାନିକ ପୂଜାର୍ଚ୍ଚନା କରିଛନ୍ତି

ଓଏଲ୍ ବ୍ୟୁରୋ: ପୁଣିଥରେ ବିଶ୍ବ ଦରବାରରେ ଇତିହାସ ରଚିବା ପାଇଁ ପ୍ରସ୍ତୁତ ଭାରତ। କାରଣ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି। ଜୁଲାଇ ୧୪ରେ ଅର୍ଥାତ ଆସନ୍ତାକାଲି ଚନ୍ଦ୍ରଯାନ-୩କୁ ଇସ୍ରୋ ଉତକ୍ଷେପଣ କରିବ। ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ ଆଶାବାଦୀ ଅଛି ଇସ୍ରୋ। ଚନ୍ଦ୍ରଯାନ ଥ୍ରୀର ସଫଳତା ପାଇଁ ଆନ୍ଧ୍ର ପ୍ରଦେଶର ତିରୁପତି ମନ୍ଦିରରେ ଇସ୍ରୋ ବୈଜ୍ଞାନିକ ପୂଜାର୍ଚ୍ଚନା କରିଛନ୍ତି। ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ ଆରମ୍ଭ ହେବାକୁ ଯାଉଛି।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟା ୩୫ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ଯଦି ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହେବ ତେବେ ବିଶ୍ୱରେ ଭାରତ ଏହି ମାମଲାରେ ଚତୁର୍ଥ ଦେଶ ଭାବେ ପରିଗଣିତ ହେବ। ଏହା ପୂର୍ବରୁ ଋଷିଆ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରାଇସାରିଛନ୍ତି। ଚନ୍ଦ୍ରଯାନ-୨ ମିଶନ ୨୨ ଜୁଲାଇ ୨୦୧୯ରେ କରାଯାଇଥିଲା। ପାଖାପାଖି ୨ ମାସ ପରେ ୭ ସେପ୍ଟେମ୍ବର ୨୦୧୯ରେ ଚନ୍ଦ୍ରମାର ସାଉଥ ପୋଲରେ ଚନ୍ଦ୍ରଯାନ-୨ ଅବତରଣ କରିବା ସମୟରେ ଦୁର୍ଘଟଣା ଘଟିଥିଲା। ଯାହାପରେ ଭାରତ ଚନ୍ଦ୍ରଯାନ-୩ ମିଶନ ପ୍ରସ୍ତୁତ କରିଛି।

ରୁଷର ମିଶନ ସ୍ଥଗିତ; ଇସ୍ରୋ ପାଖରେ ପ୍ରଥମ ଲ୍ୟାଣ୍ଡିଂ କରିବା ସୁଯୋଗ:

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ମୁନ ମିଶନ ସ୍ଥଗିତ କରିଦେଇଛି। ଏପରିକି ଗ୍ରାଉଣ୍ଡ ଇନଫ୍ରାଷ୍ଟ୍ରକଚର ଆଡିଶିନାଲ କାର୍ଯ୍ୟ ଗୁଡ଼ିକ ପୁରା ହୋଇ ନଥିବାରୁ ମିଶନକୁ ସ୍ଥଗିତ କରିଛି ରୁଷ। ଏହାପୂର୍ବରୁ ୨୦୨୨ ମସିହାରେ ଯାନ୍ତ୍ରିକ ତ୍ରୁଟି ପାଇଁ ମିଶନକୁ ଶେଷ ସମୟରେ ସ୍ଥଗତି କରିଥିଲା। ଏସବୁ ମଧ୍ୟରେ ଭାରତ ପାଖରେ ବଡ଼ ସୁଯୋଗ ରହିଛି। ଚନ୍ଦ୍ରଯାନ-୩ ଜରିଆରେ ରୁଷଠୁ ପ୍ରଥମେ ଚନ୍ଦ୍ରମାରେ ପହଁଞ୍ଚିବାର ସୁଯୋଗ ଭାରତ ପାଖରେ ରହିଛି।

ଚନ୍ଦ୍ରଯାନ-୨ର ଭୁଲରୁ ଶିକ୍ଷା ମିଳିଛି: ଇସ୍ରୋ ମୁଖ୍ୟ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି ଯେ ଚନ୍ଦ୍ରଯାନ-୨ରେ ଆମେ ଅସଫଳ ହୋଇଥିଲୁ। ସବୁବେଳେ ଆମେ ସଫଳ ହେବୁ ତାହା ବି ଜରୁରୀ ନୁହେଁ। ସବୁଠୁ ବଡ଼ କଥା ହେଲା ଚନ୍ଦ୍ରଯାନ-୨ରେ ହୋଇଥିବା ଭୁଲରୁ ଆମେ ବହୁତ କିଛି ଶିଖିବା ସହ ଚନ୍ଦ୍ରଯାନ-୩ର ପ୍ରସ୍ତୁତି କରିଛୁ। ସେ ଆହୁରି କହିଛନ୍ତି ଅସଫଳ ହେବା ମାନେ କାର୍ଯ୍ୟ କରିବା ଛାଡ଼ିଦେବୁ। ଚନ୍ଦ୍ରଯାନ-୩ ଜରିଆରେ ଆମେ ଇତିହାସ ରଚିବୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.