ଉତ୍କ୍ଷେପଣ ହେଲା ଚନ୍ଦ୍ରଯାନ-୩, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଏଲ୍ ବ୍ୟୁରୋ: ଇତିହାସ ସୃଷ୍ଟି କରିଛି ଇସ୍ରୋ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଚନ୍ଦ୍ରଯାନ-୩ ଉତ୍କ୍ଷେପଣ ହୋଇଛି। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩ ଯାତ୍ରା ଆରମ୍ଭ କରିଛି। ଉତ୍କ୍ଷେପଣ ପରେ ବୈଜ୍ଞାନିକ ମାନେ ଖୁସିବ୍ୟକ୍ତ କରିଛନ୍ତି। ଏହି ଉତ୍କ୍ଷେପଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଯାନ-୩ ପାଇଁ କାର୍ଯ୍ୟରତ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Heartiest congratulations to @isro scientists on the successful launch of #Chandrayaan3, the nation’s third mission to our celestial neighbour. The historic journey to the Moon is yet another momentous leap for the country’s space exploration and scientific advancement. #ISRO
— Naveen Patnaik (@Naveen_Odisha) July 14, 2023
ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଭୂପୃଷ୍ଠ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ ପ୍ରାରମ୍ଭିକ କକ୍ଷପଥରେ ଚନ୍ଦ୍ରଯାନ-୩ ଅବସ୍ଥାପିତ ହୋଇଛି। ଏହି ଚନ୍ଦ୍ରଯାନରେ ରହିଛି ମୋଟ ୩ହଜାର ୯ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ସେଠାରୁ ଏହା ଯୋଜନା ମୁତାବକ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବ ଏବଂ ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।
ଚନ୍ଦ୍ରଯାନ-୩ରେ ଓଡ଼ିଶାର ଯୋଗଦାନ:
ଭାରତର ତୃତୀୟ ଚନ୍ଦ୍ର ମିଶନରେ ଓଡ଼ିଶାର ବି ରହିଛି ବଡ଼ ଯୋଗଦାନ। ଚନ୍ଦ୍ରୟାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ। ଲଞ୍ଚ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ ଭାଲ୍ଭ, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ, ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେଂପରେଚର୍ ସେନ୍ସର ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ଏଠାରେ ନିର୍ମାଣ ହୋଇଛି।