ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ ନେଇ ବଡ଼ ଖବର: ବନ୍ଦ ହୋଇପାରେ ଓଏସ୍ଓୟୁ
ନାକ୍ ସ୍ୱୀକୃତି ନଥିବାରୁ ଚଳିତ ବର୍ଷ କେବଳ ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ପାଇଁ ଅନୁମତି ମିଳିବ

ଓଏଲ୍ ବ୍ୟୁରୋ: ୨୦୧୫ରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍ଓୟୁ) ଆରମ୍ଭ ହୋଇଛି। ତେବେ ଏହି ବିଶ୍ଵବିଦ୍ୟାଳୟକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାକ୍ ସ୍ୱୀକୃତି ନଥିବାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନାମଲେଖା ପାଇଁ ଅନୁମତି ମିଳିନଥିବାରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍ଓୟୁ) ବନ୍ଦ ହୋଇପାରେ। ଚଳିତ ବର୍ଷ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପଢ଼ାଯିବନି। ନାକ୍ ସ୍ୱୀକୃତି ନଥିବାରୁ ଚଳିତ ବର୍ଷ କେବଳ ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ପାଇଁ ଅନୁମତି ମିଳିବ।
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା ଓଏସ୍ଓୟୁ। ଏବେ ବିଶ୍ୱବିଦ୍ୟାଳୟରେ ୧୧ଟି ସ୍ନାତକ ଓ ୧୪ଟି ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। ଗତ ୭ ବର୍ଷରେ ସଫଳତା ମିଳିବା ସହ ପ୍ରାୟ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ବିଶ୍ୱବିଦ୍ୟାଳୟରୁ ପାସ୍ ହୋଇଥିଲେ। କିନ୍ତୁ ଶିକ୍ଷକ ଓ ଅଣ-ଶିକ୍ଷକ ଅଭାବ, ନିଜସ୍ୱ ଗୃହ ନଥିବାରୁ ନାକ୍ ସ୍ୱୀକୃତି ହରାଇବା ସହ ୟୁଜିସିର ଅନୁମତି ନାହିଁ। ଫଳରେ ଏବେ ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ ହୋଇଯାଇଛି। ତେଣୁ ବିଶ୍ୱବିଦ୍ୟାଳୟ ଏକ ପ୍ରକାର ବନ୍ଦ ହୋଇଯାଇଥିବା କୁହାଯାଉଛି।