ଆଇସିସି ପ୍ରୋମୋରେ ଓଡ଼ିଆ ପୁଅ, ଏବେ ଚର୍ଚ୍ଚାରେ ପିଣ୍ଟୁ

ଓଏଲ୍ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଆଗାମୀ ଦିନିକିଆ ବିଶ୍ବକପ୍ ପାଇଁ ଅଫିସିଆଲ୍ ପ୍ରୋମୋ ଲଞ୍ଚ କରିଛି। ଏହି ପ୍ରୋମୋରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍, ଜେପି ଡୁମୁନି, ଶୁଭମନ ଗିଲ, ଦିନେଶ କାର୍ତ୍ତିକ ନଜର ଆସିଛନ୍ତି। ଏଥିସହିତ ଓଡ଼ିଆ ପୁଅ ତଥା ବିରାଟ କୋହଲିଙ୍କ ବଡ଼ ଫ୍ୟାନ୍ ଗଞ୍ଜାମ ଜିଲ୍ଲାର ପିଣ୍ଟୁ ବେହେରା ବିଶ୍ୱକପ୍ କ୍ରିକେଟ୍ ପାଇଁ ଆଇସିସି ପକ୍ଷରୁ ହୋଇଥିବା ଅଫିସିଆଲ୍ ପ୍ରମୋରେ ସ୍ଥାନ ପାଇଛନ୍ତି। ପ୍ରୋମୋରେ ଶାହରୁଖ ଖାନ ବିଶ୍ବକପ୍ ଟ୍ରଫି ସହିତ ନଜର ଆସୁଛନ୍ତି।
ପିଣ୍ଟୁ ବେହେରା ନିଜ ଦେହରେ ବିରାଟଙ୍କ ଟାଟୁ କରି ସାରା ବିଶ୍ବ କ୍ରିକେଟ ଦରବାରରେ ବେସ୍ ଜଣାଶୁଣା। ପିଣ୍ଟୁ ନିଜ ପିଠି, ହାତ, ଛାତି ଓ ପେଟରେ ବିରାଟଙ୍କ ଟାଟୁ କରିଛନ୍ତିା ଆଇସିସିର ଏହି ପ୍ରମୋରେ ପିଣ୍ଟୁଙ୍କ ସହ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧିର ଚୌଧୁରୀ, ବିଶ୍ୱର ଅନ୍ୟ ବଛା ବଛା ଖେଳାଳି ଥିବା ବେଳେ ଏହାର ଭଏସ୍ ଦେଇଛନ୍ତି ବାଦଶାହ ଶାହରୁଖ।
ସୂଚନାଥାଉକି, ୨୦୧୯ ମସିହାରେ ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ବିଶାଖାପାଟଣାରେ ବିରାଟଙ୍କୁ ସାକ୍ଷାତ କରିଥିଲେ ପିଣ୍ଟୁ। ତାଙ୍କ ଶରୀରରେ ନିଜର ୧୪ଟି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିରାଟ। ତାଙ୍କୁ ଖୁସିରେ କୁଣ୍ଡାଇ ପକାଇଥିଲେ। ବିରାଟଙ୍କର ବହୁ ଫ୍ୟାନ୍ ଥିବା ବେଳେ ପିଣ୍ଟୁ ବିରାଟଙ୍କ ବଡ଼ ଫ୍ୟାନ୍ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା।