ସଂସଦର ମୌସୁମୀ ଅଧିବେଶନ: ରାଜ୍ୟସଭାରୁ ନିଲମ୍ବିତ ହେଲେ ଜଣେ ଆପ୍ ସାଂସଦ
ସରକାର ମୌସୁମୀ ଅଧିବେଶନରେ ୩୧ ବିଲ୍ ଆଗତ କରିବେ।
ଓଏଲ୍ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ସଂସଦର ଆରମ୍ଭରୁ ଗୃହ ଅଚଳ ହୋଇପଡିଥିବା ଦେଖିବାକୁ ମିଳିଛି। ତେବେ ଏହାରି ମଧ୍ୟରେ ରାଜ୍ୟସଭାରୁ ଜଣେ ଆପ୍ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍ପେଣ୍ଡ କରିଛନ୍ତି। ମୌସୁମୀ ଅଧିବେଶନର ବଳକା କାର୍ଯ୍ୟଦିବସରୁ ସସ୍ପେଣ୍ଡ କରାଯାଇଥିବାବେଳେ ମଣିପୁର ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ବେଳେ ନିଲମ୍ବିତ କରାଯାଇଛି।
ଅନ୍ୟପଟେ, ସରକାର ମୌସୁମୀ ଅଧିବେଶନରେ ୩୧ ବିଲ୍ ଆଗତ କରିବେ। ତଥ୍ୟ ସୁରକ୍ଷା ବିଲ୍, ୟୁସିସି (ସମାନ ନାଗରିକ ସଂହିତା), ଦିଲ୍ଲୀ ଅଧ୍ୟାଦେଶ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍ ସମେତ ମୋଟ୍ ୩୧ଟି ବିଲ୍ ମୌସୁମୀ ଅଧିବେଶନରେ ଆଗତ ହୋଇପାରେ। ତେବେ ଦିଲ୍ଲୀ ଅଧ୍ୟାଦେଶ ଏବଂ ୟୁସିସି ଉପରେ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ମୌସୁମୀ ଅଧିବେଶନ ସରଗରମ ରହିବ ବୋଲି ଅନୁମାନ କରାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଗୃହ ସୁରୁଖୁରୁରେ ଚାଲିପାରିନାହିଁ।
ସଂସଦରେ ଓଡ଼ିଶାର ଦାବି ଉଠାଇବ ବିଜେଡି:
ମୌସୁମୀ ଅଧିବେଶନରେ ସଂସଦରେ ଉଠିବ ଓଡ଼ିଶାର ଦାବି। ୯ଟି ପ୍ରସଙ୍ଗକୁ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମହିଳା ସଂରକ୍ଷଣ ବିଲ୍, ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି ଏବଂ ପିଏମଜିକେଏଓ୍ବାଇରେ ୭ ଲକ୍ଷ ଲୋକଙ୍କ ପାଇଁ ଘର ଏବଂ ପିଏମଏଓ୍ବାଇରେ ୫ କେଜି ଚାଉଳ ପୁଣି ଦେବାକୁ ଦାବି ଉଠାଇବ। ଚାଷୀଙ୍କ ସ୍ବାର୍ଥ ପାଇଁ ବଳକା ଚାଉଳ ଉଠାଣ, ଏମଏସପି ଏବଂ ଠିକ୍ ସମୟରେ ଫସଲ କିଣାବିକା ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି। ଏଥିସହ ସାର ଯୋଗାଣ, ଯୋଗାଯୋଗ ଭିତ୍ତିଭୂମି, କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ହଟାଇବା ନେଇ ଗୃହରେ ଦାବି ଉଠାଯିବ।