କାର୍ଗିଲ ବିଜୟ ଦିବସ, ବୀର ଯବାନଙ୍କୁ ମନେ ପକାଉଛି ଦେଶ

ଓଏଲ୍ ବ୍ୟୁରୋ: ଆଜି କାର୍ଗିଲ ବିଜୟ ଦିବସ। କାର୍ଗିଲ ବିଜୟକୁ ଆଜି ପୁରିଛି ୨୪ ବର୍ଷ। ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ୨୪ତମ କାରଗିଲ ବିଜୟ ଦିବସକୁ ପାଳୁଛନ୍ତି ସାରା ଦେଶବାସୀ। ତେବେ ୧୯୯୯ ଜୁଲାଇ ୨୬ରେ ପାକ ବିରୋଧରେ ଯୁଦ୍ଧରେ ଜିତିଥିଲା ଭାରତ। ‘ଅପରେସନ ବିଜୟ’ ଅଭିଯାନରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ।
ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ ମସିହା ଆଜିର ଦିନରେ ଭାରତ ସଫଳତାର ସହ ପାକିସ୍ତାନୀ ସୈନ୍ୟମାନଙ୍କ ହାତରୁ ଭାରତର ଏହି ସର୍ବୋଚ୍ଚ ଘାଟିକୁ ନିଜ ଅକ୍ତିଆରକୁ ଆଣିଥିଲା।
ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କାଶ୍ମୀରର କାର୍ଗିଲ ଅଂଚଳରେ ପ୍ରବେଶ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି।
କାର୍ଗିଲ ବିଜୟ ଦିବସର କିଛି ଜଣା ଅଜଣା କଥା ଜାଣନ୍ତୁ
ମେ-୩ : ପାକିସ୍ତାନ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଜଣେ ମେଷ ପାଳକ ଭାରତୀୟ ସେନାକୁ ସୂଚନା ଦେଇଥିଲେ।
ମେ-୫ : ଭାରତୀୟ ସେନା ଉକ୍ତ ଅଞ୍ଚଳକୁ ପାଟ୍ରୋଲିଂରେ ଯାଇଥିଲେ। ୫ ଜଣ ଭାରତୀୟ ସୈନ୍ୟଙ୍କୁ ପାକିସ୍ତାନ ସେନା ହତ୍ୟା କରିଥିଲା।
ମେ-୯ : ପାକିସ୍ତାନ ସେନା ପକ୍ଷରୁ କାରଗିଲ ସେକ୍ଟରରେ ଭାରି ଗୁଳିଗୋଳା ବର୍ଷଣ।
ମେ- ୧୦ : କାଶ୍ମୀରର ଦ୍ରାସ, କାକସର ଓ ମୁସୋଖ ସେକ୍ଟରରେ ପାକିସ୍ତାନ ସେନା ଅନୁପ୍ରବେଶ କରିଥିବା ପ୍ରଥମ ଥର ପାଇଁ ଜଣାପଡ଼ିଲା।
ମେ- ୧୫ : କାଶ୍ମୀର ଉପତ୍ୟକାରୁ ସେନା ପ୍ରତ୍ୟାହାର କରି ଭାରତୀୟ ସେନା କାରଗିଲକୁ ସୈନ ପଠାଇ ଥିଲେ।
ମେ- ୨୬ : ଅନୁପ୍ରବେଶକାରୀଙ୍କ ଉପରେ ଭାରତୀୟ ବାୟୁ ସେନାର ବୋମା ବର୍ଷଣ।
ମେ-୨୮ : ଭାରତୀୟ ବାୟୁସେନାର ଦୁଇଟି ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ପାକିସ୍ତାନ ସେନା ଦାବି କରିଥିଲା। ଏଥିରେ ଭାରତୀୟ ବାୟୁସେନାର ୪ଜଣ ଯବାନ ସହିଦ ହୋଇଥିଲେ।
ଜନ୍-୬ : କାରଗିଲରେ ଭାରତୀୟ ସେନା ପକ୍ଷରୁ ଜୋରଦାର ଆକ୍ରମଣ।
ଜୁନ୍-୯ : ଭାରତୀୟ ସେନା ବଟାଲିକ ସେକ୍ଟରର ଦୁଇଟି ଛାମୁଆ ଘାଟଟୀକୁ ପୁନଃ ଦଖଲ କଲେ।
ଜୁନ୍-୧୩ : ଭାରତୀୟ ସେନା ଦ୍ରାସ ସେକ୍ଟରର ତୋଲୋଲିଙ୍ଗକୁ ପୁନଃ ଅଧିକାର କଲେ।
ଜନ୍-୧୫ : ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଭାରତୀୟ ଅଞ୍ଚଳରୁ ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ଫୋନ ଯୋଗେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜୁନ୍-୨୯ : ଭାରତୀୟ ସେନା ଟାଇଗର ହିଲ ନିକଟରେ ଥିବା ଦୁଇଟି ଗୁରତ୍ବପୂର୍ଣ୍ଣ ଶୁଙ୍ଗ ୫୦୬୦ ଓ ୫୧୦୦କୁ ପୁନଃ ଦଖଲ କଲେ।
ଜୁଲାଇ-୪ : ୧୧ଘଣ୍ଟା ଅବିରତ ଯୁଦ୍ଧପରେ ଭାରତୀୟ ସେନା ଟାଇଗର ହିଲକୁ ଦଖଲକୁ ନେଇଥିଲେ।
ଜୁଲାଇ-୧୪ : ଭାରତ କାରଗିଲ ଯୁଦ୍ଧ ବିଜୟୀ ହେଲା ବୋଲି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ।
ଜୁଲାଇ-୨୬ : କାରଗିଲ ଓ ଦ୍ରାସ ସେକ୍ଟରରୁ ସମସ୍ତ ପାକିସ୍ତାନ ସୈନ୍ୟଙ୍କୁ ତଡି ଦିଆଯାଇଥିବା ଭାରତୀୟ ସେନା ସୂଚନା ଦେବା ପରେ ସରକାର କାରଗିଲ ଯୁଦ୍ଧ ଶେଷ ହୋଇଥିବା ଘୋଷଣା କରିଥିଲେ। ଏହି ଦିବସକୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରିବାକୁ ବାଜପେୟୀ ଘୋଷଣା କରିଥିଲେ।