ହୋଇପାରିଲାନି ମହାପ୍ରଭୁଙ୍କ ବନକଲାଗି ନୀତି

ଓଏଲ୍ ବ୍ୟୁରୋ: ଶ୍ରୀଜିଉଙ୍କ ବନକଲାଗି ବିବାଦ ସମାଧାନ ହେବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ବନକଲାଗି ନୀତି କରିବା ନେଇ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ପାଳନ କଲେନି ସେବାୟତ। ଯାହାଫଳରେ ଆଜି ବି ହୋଇପାରିଲାନି ମହାପ୍ରଭୁଙ୍କ ବନକଲାଗି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି କରିବାକୁ ଦେଖାଦେଇଥିବା ବିବାଦ ସମାଧାନ ହୋଇପାରି ନ ଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଶ୍ରୀମନ୍ଦିର ପ୍ରଶାସନର ଚେତବାନୀ ସତ୍ୱେ, ଆଜି ବି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି। ଜିଦରେ ଅଟଳ ରହିଛନ୍ତି ଦତ୍ତ ମହାପାତ୍ର ସେବାୟତ। ପ୍ରଶାସନ ଆଜି ମହାପ୍ରଭୁଙ୍କ ବନକଲାଗି କରିବାକୁ ଦତ୍ତ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି, ସେମାନେ ପ୍ରସ୍ତୁତ ନଥିବା ଆଳ ଦେଖାଇଛନ୍ତି। ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ରହିଛନ୍ତି। ଏବଂ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଲେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି କରିବେ।
ଗତ ୧୯ ତାରିଖରେ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏହାର ପୂର୍ବଦିନ ନିର୍ଦ୍ଦେଶ ଦେଇଥିଲା। ହେଲେ ଏହା ପାଳନ ହୋଇନଥିଲା। ଆଜି ବନକଲାଗି କରିବାକୁ ସାନି ନିର୍ଦ୍ଦେଶନାମା ଜାରି ହୋଇଥିଲା। ହେଲେ ବନକଲାଗି ନୀତି ହୋଇନି। ଆଜି ବନକଲାଗି ନୀତି ନକଲେ ପ୍ରଶାସନ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଓ ଶ୍ରୀଜୀଉଙ୍କ ବନକଲାଗି ନୀତି ପାଇଁ ବିକଳ୍ପ ବ୍ୟବସ୍ଥା କରିବ ବୋଲି ଚେତାବନୀ ଦେଇଛି।
ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ୨୦୧୮ ମସିହାରେ ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରାଯାଏ। ବୁଧବାର ନହୋଇପାରିଲେ ଗୁରୁବାର ଏହି ନୀତି କରାଯାଏ। ଏବାବଦରେ ବାମଦେବ ସଂହିତାରେ ମଧ୍ୟ ବୁଧବାର ବନକଲାଗି ନୀତି କରିବାକୁ ଉଲ୍ଲେଖ କରାଯାଇଛି। ଦତ୍ତମହାପାତ୍ର ନିଯୋଗ କିନ୍ତୁ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ଅଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ।