ଓଡ଼ିଶା ହାଇକୋର୍ଟ ପକ୍ଷରୁ ଓଡ଼ିଆ ଭାଷାକୁ ସମ୍ମାନ, ଓଡ଼ିଆରେ ପ୍ରକାଶ ପାଇଲା ପ୍ରଥମ ରାୟ
ଓଡ଼ିଆରେ ୪୧ ପୃଷ୍ଠାର ଏହି ରାୟ ହାଇକୋର୍ଟ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଉତ୍ସବକୁ ଚିର ସ୍ମରଣୀୟ କରି ରଖିବ।
ଓଏଲ୍ ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଓଡ଼ିଆ ଭାଷାକୁ ସମ୍ମାନ। ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାକୁ ୭୫ବର୍ଷ ପୂରଣ ହେଉଥିବା ବେଳେ ସଫଳତାରେ ଆଉ ଏକ ନୂଆ ଫର୍ଦ ଯୋଡି ହୋଇଛି। ଏକ ଐତିହାସିକ ଘଟଣାକ୍ରମରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଓଡ଼ିଆରେ ଏକ ମାମଲାର ରାୟ ପ୍ରକାଶ ପାଇଛି। ନ୍ୟାୟମୂର୍ତ୍ତି ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଆ ଭାଷାରେ ଏକ ରିଟ୍ ଆବେଦନର ରାୟ ପ୍ରକାଶ କରିଛନ୍ତି। ଜୁଲାଇ ୧୯ରେ ଖଣ୍ଡପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ପ୍ରତିଷ୍ଠା ଦିବସର ପୂର୍ବଦିନ ଏହି ରାୟ ପ୍ରକାଶ କରିଛନ୍ତି।
ଓଡ଼ିଆରେ ୪୧ ପୃଷ୍ଠାର ଏହି ରାୟ ହାଇକୋର୍ଟ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଉତ୍ସବକୁ ଚିର ସ୍ମରଣୀୟ କରି ରଖିବ। ସାଧାରଣ ଲୋକ ଅନେକ ସମୟରେ ଅଦାଲତି ରାୟ ବୁଝି ପାରି ନଥାନ୍ତି। କିନ୍ତୁ ମାତୃଭାଷାରେ ରାୟ ପ୍ରକାଶ ପରେ ଏବେ ସାଧାରଣ ଲୋକ ସହଜରେ ଅଦାଲତି ରାୟକୁ ବୁଝି ପାରିବେ। ଏଥି ସହିତ ନ୍ୟାୟିକ ପ୍ରକ୍ରିୟା ସେମାନଙ୍କ ପାଇଁ ଅଡୁଆ ପାଠ ହୋଇ ରହିବ ନାହିଁ ବୋଲି ଆଶା କରାଯାଇଛି।
ସୂଚନା ଅନୁସାରେ, ୨୦୨୩, ଫେବ୍ରୁଆରି ୩ରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରତିଷ୍ଠିତ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ କରିବା ଅବସରରେ ଭର୍ଚୁଆଲ ବ୍ୟବସ୍ଥାରେ ଯୋଗ ଦେଇ ଭାରତର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ‘ଇ-ଇନିସିଏଟିଭ୍’ର ପ୍ରଶଂସା କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟର ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ପାଇଁ ମାଡ୍ରାସ ଆଇଆଇଟି ସହଯୋଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରଧାନ ବିଚାରପତି କହିଥିଲେ।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ନେତୃତ୍ବରେ ଓଡ଼ିଶା ହାଇକୋର୍ଟ ଏହାର ରାୟର ଓଡ଼ିଆ ଅନୁବାଦ ପାଇଁ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ଆଶା ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି କହିଥିବା କଥା ଏବେ କାର୍ଯ୍ୟକାରୀ ହୋଇଛି। ନ୍ୟାୟମୂର୍ତ୍ତି ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ ଓଡ଼ିଆ ଭାଷାରେ ହାଇକୋର୍ଟର ଏହି ପ୍ରଥମ ରାୟକୁ ପ୍ରକାଶ କରିଛନ୍ତି। ଯାହା ବର୍ତ୍ତମାନ ଐତିହାସିକ ପୃଷ୍ଠାରେ ସ୍ଥାନ ପାଇଛି।