ଓଡ଼ିଶାରେ ରାଷ୍ଟ୍ରପତି: ମା’ କଟକଚଣ୍ଡୀଙ୍କୁ ଦର୍ଶନ କରି ଟ୍ୱିଟ ମାଧ୍ୟମରେ ଖୁସିବ୍ୟକ୍ତ କଲେ ମହାମହିମ
ଓଏଲ୍ ବ୍ୟୁରୋ: କାଲିଠୁ ତିନିଦିନିଆ ଓଡ଼ିଶାରେ ଗସ୍ତରେ ଆସିଛନ୍ତି ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଂଚଳ କଟକ ସହର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଅର୍ଥାତ ଆଜି କଟକରେ ଏକାଧିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଆଜି ମହାମହିମ କଟକ ଗସ୍ତରେ ଆସି ମଧୁବାବୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ।
ମହାମହିମ ନିଜ ଟ୍ୱିଟ ମଧ୍ୟରେ କହିଛନ୍ତି, କଟକରେ ପହଞ୍ଚି ପ୍ରଥମେ ମୁଁ ଶକ୍ତିସ୍ୱରୂପିଣୀ ମା’ କଟକଚଣ୍ଡୀଙ୍କୁ ଦର୍ଶନ କରି ରାଜ୍ୟବାସୀ, ଦେଶବାସୀ ଏବଂ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛି।
“ଐତିହାସିକ ଏ ଦୁର୍ଗ ବାରବାଟୀ
ବୀରରକ୍ତ ପିଣ୍ଡେ ଗଢ଼ା ଯା’ର ମାଟି ।”
ଐତିହାସିକ ବାରବାଟୀ ଦୁର୍ଗକୁ କୋଳରେ ଧରିଥିବା ଏବଂ ବାଲିଯାତ୍ରା ଓ ତାରକସି ପାଇଁ ବିଶ୍ୱ-ପ୍ରସିଦ୍ଧି ଲାଭ କରିଥିବା ସହସ୍ରାବ୍ଦୀ ନଗର କଟକକୁ ମୁଁ ପ୍ରଣାମ କରୁଛି ଏବଂ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି ।କଟକରେ ପହଞ୍ଚି ପ୍ରଥମେ ମୁଁ ଶକ୍ତିସ୍ୱରୂପିଣୀ ମା’…
— President of India (@rashtrapatibhvn) July 26, 2023
ସୂଚନା ଅନୁସାରେ, ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ କରିଛନ୍ତି। ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ। ଏକଥା ଆଗରୁ ମଧ୍ୟ ମୁଁ କହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ମହାମହିମ ଆହୁରି ମଧ୍ୟ କହିଛନ୍ତି, ସମାଜର ଅନେକ ବର୍ଗ ମାମଲା ଲଢ଼ିବାକୁ ସମର୍ଥ ନୁହଁନ୍ତି। ବଞ୍ଚିତ ବର୍ଗଙ୍କୁ କିଭଳି ନ୍ୟାୟ ପ୍ରଦାନ କରାଯିବ, ଗୁରୁତ୍ୱ ମିଳିବା ଉଚିତ। ଏଥିପାଇଁ ଆଇନ ସହାୟତା ମିଳୁଥିବାରୁ ଧନ୍ୟବାଦ ଦେଉଛି। ଅନେକ ଆଇନଜୀବୀ ବି ମାଗଣା ଆଇନ ସହାୟତା ଦେଉଛନ୍ତି ବୋଲି ମହାମହିମ କହିଛନ୍ତି। ଏହା ସହ ମହାମହିମ ନିଜ ଅଭିଭାଷଣରେ କଟକର ସୁବର୍ଣ୍ଣ ଇତିହାସ ବର୍ଣ୍ଣନା କଲେ। ୭୫ବର୍ଷ ପୂର୍ତ୍ତି ଅବସରେ ମହାମହିମ ସ୍ବତନ୍ତ୍ର ଡାକ ଟିକଟ ଉନ୍ମୋଚନ କଲେ।
ଅନ୍ୟପଟେ, ଅପରାହ୍ନ ୩ଟାରୁ ୩ଟା ୪୫ରେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ। ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବେ। ସଂଧ୍ୟା ୬ଟା ୩୦ ସୁଦ୍ଧା ରାଜଭବନ ଫେରି ରାତ୍ରୀଯାପନ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।।