ବିବାଦ ପରେ ମୁହଁ ଖୋଲିଲେ ପୋଲସରା ବିଧାୟକ, କହିଲେ-ସବୁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ
ବିଜେଡି ନେତ୍ରୀ ସଂଯୁକ୍ତା ମହଲା ନିକଟରେ ଶ୍ରୀକାନ୍ତ ସାହୁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଓଏଲ୍ ବ୍ୟୁରୋ:ବିବାଦରେ ଛନ୍ଦି ହୋଇ ମନ୍ତ୍ରୀ ପଦ ହରାଇଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଦୀର୍ଘ ଦିନର ନିରବତା ଭାଙ୍ଗି ମୁହଁ ଖୋଲିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଗାମୀ ରାଜନୀତି ଭବିଷ୍ୟତ କ’ଣ ରହିବ ସେ ନେଇ ମୁହଁ ଖୋଲିଛନ୍ତି ଶ୍ରୀକାନ୍ତ ସାହୁ। ସେ ଗଣମାମଧ୍ୟମକୁ କହିଛନ୍ତି ଯେ ଗଞ୍ଜାମରେ ନବୀନ ପଟ୍ଟନାୟକଙ୍କ ନା କାଫି। ଏଠାରେ ବିଜେଡି ସବୁ ଆସନରେ ଜିତିବ। ମୋର ପରିଚୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିଜେଡି ନେତ୍ରୀ ସଂଯୁକ୍ତା ମହଲା ନିକଟରେ ଶ୍ରୀକାନ୍ତ ସାହୁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଯାହାଫଳରେ ବିବାଦ ଘେରକୁ ଆସି ଶ୍ରୀ ସାହୁ ମନ୍ତ୍ରୀ ପଦ ହରାଇଥିଲେ। ମନ୍ତ୍ରୀ ପଦ ହରାଇବା ପରେ ସେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ପଦ ଗଲା ପରେ, ଯେତେବେଳେ ମୋ ନିର୍ବାଚନ ମଣ୍ଡଳୀ ଯାଇଥିଲି, ସେଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରୀତ ହୋଇଥିଲେ। ଏକତ୍ର ଭାବେ ଏତେ ଲୋକ ଦେଖି ମୁଁ ଭାବ ବିହ୍ଵଳ ହୋଇ କାନ୍ଦିଥିଲି। ମୁଁ ନିର୍ବାଚନ ଲଢ଼ିବି କି ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ମୁଖ୍ୟମନ୍ତ୍ରୀ ଟିକେଟ ନଦେଲେ ବି କିଛି କହିବିନି। ମୁଖ୍ୟମନ୍ତ୍ରୀ ଯଦି କହିବେ ଶ୍ରୀକାନ୍ତ ତମେ ବହୁତ ରାଜନୀତି କଲଣି। ଏବେ ଘରେ ରୁହ, ତାହା ବି ମାନିବି।
ସେ ସଂଯୁକ୍ତା ମହଲା ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଜଣେ ବ୍ୟକ୍ତି ଘର ଚଳେଇବା ପାଇଁ ସମର୍ଥ ନୁହେଁ। କିଏ କଣ କହିଲା ସେ ଉପରେ ମୁଁ ମନ୍ତବ୍ୟ ଦେବିନି। ମୁଁ ଜଣେ ସାଧାରଣ ଲୋକ। ମୋ ନିର୍ବାଚନ ମଣ୍ଡଳୀର ଲୋକ ଭଲ ଭାବେ ମୋତେ ଜାଣିଛନ୍ତି। କାହାର ଅଭିଯୋଗ କିଛି ପ୍ରଭାବ ପକେଇବନି।
ପ୍ରଦୀପ ପାଣିଗ୍ରାହୀ-ଶ୍ରୀକାନ୍ତ ସାହୁଙ୍କ ସମ୍ପର୍କ କ’ଣ ?
ଶ୍ରୀକାନ୍ତ ସାହୁ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଥିବା ସମ୍ପର୍କ ମଧ୍ୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ସୋସାଇଟି ସଭାପତିରୁ ରାଜନୀତି ଆରମ୍ଭ କରିଛି। ଆଉ ମନ୍ତ୍ରୀ ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଋଣି। ମନ୍ତ୍ରୀ ପଦ ଗଲାପରେ ମୁଖ୍ୟମନ୍ତ୍ରୀଙ୍କୁ ୩ ଥର ଭେଟିଛି। ଶ୍ରୀକାନ୍ତ ସାହୁ ପ୍ରଦୀପ ପାଣିଗ୍ରାହୀଙ୍କ ଲୋକ ନୁହଁନ୍ତି। ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଲୋକ ଥିଲେ। ସେ ନବୀନ ବାବୁଙ୍କ ଲୋକ ଥିବାରୁ ଆମର ସମ୍ପର୍କ ଥିଲା। ଯେବେଠାରୁ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କ ନାହିଁ। ସେବେଠୁ ମୋର ବି ତାଙ୍କର ସହିତ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି।