ଆମେରିକା: ରାଷ୍ଟ୍ରପତି ଦୌଡ଼ରେ ହର୍ଷବର୍ଧନ ସିଂହ

ଓଏଲ୍ ବ୍ୟୁରୋ: ୨୦୨୪ରେ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ଏବେଠୁ ସରଗରମ ଆମେରିକା ରାଜନୀତି। ସବୁଠୁ ବଡ଼ କଥା ହେଲା ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ଦବଦବା ଦେଖିବାକୁ ମିଳିବ। କାରଣ ନିକି ହାଲି ଓ ବିବେକ ରାମସ୍ବାମୀଙ୍କ ପରେ ରିପବ୍ଲିକାନ ଦଳରୁ ଆଉ ଜଣେ ଭାରତୀୟ ରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି। ସେ ହେଉଛନ୍ତି ଇଂଜିନିୟର ହର୍ଷବର୍ଦ୍ଧନ ସିଂହ।
ଟ୍ବିଟରରେ ଏକ ଭିଡ଼ିଓ ମେସେଜ ପୋଷ୍ଟ କରି ୩୮ ବର୍ଷୀୟ ସିଂହ କହିଛନ୍ତି, ସେ ହେଉଛନ୍ତି ଜଣେ ‘ଆଜୀବନ ରିପବ୍ଲିକାନ’ ଏବଂ ‘ଆମେରିକା ଫାଷ୍ଟ’ କଞ୍ଜରଭେଟିଭ୍, ଯିଏ ନ୍ୟୁ ଜର୍ସି ରିପବ୍ଲକାନ ପାର୍ଟିର କଞ୍ଜର୍ଭେଟିଭ୍ ଶାଖାର ପୁନରୁଦ୍ଧାର ପାଇଁ କାମ କରିଥିଲେ। ଆମେରିକୀୟ ମୂଲ୍ୟବୋଧକୁ ଫେରାଇ ଆଣିବା ପାଇଁ ଆମର ଦୃଢ଼ ନେତୃତ୍ବର ଆବଶ୍ୟକତା ରହିଛି। ସେଥିପାଇଁ ମୁଁ ୨୦୨୪ ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟି ତରଫରୁ ନାମାଙ୍କନପତ୍ର ଦାଖଲ କରିବାକୁ ଚାହେ।’ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ହର୍ଷବର୍ଦ୍ଧନ ସିଂହ ଫେଡ଼େରାଲ ଇଲେକ୍ସନ କମିସନ ନିକଟରେ ଗୁରୁବାର ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ସିଂହଙ୍କ ପୂର୍ବରୁ ଦକ୍ଷିଣ କରୋଲିନାର ଗଭର୍ଣ୍ଣର ନିକି ହାଲି (୫୧) ଏବଂ ଅର୍ବୁଦପତି ଶିଳ୍ପୋଦ୍ୟୋଗୀ ବିବେକ ରାମସ୍ବାମୀ (୩୭) ମଧ୍ୟ ତାଙ୍କ ପ୍ରାର୍ଥିତ୍ବ ଘୋଷଣା କରିସାରିଛନ୍ତି। ଉଭୟ ହେଉଛନ୍ତି ଭାରତୀୟ-ଆମେରିକୀୟ। ସେମାନଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ଆଇନଗତ ମାମଲାରେ ଫସିଥିବା ସତ୍ତ୍ବେ ରିପବ୍ଲିକାନ ପ୍ରାର୍ଥୀମାନଙ୍କ ମଧ୍ୟରେ ଦୌଡ଼ରେ ଟ୍ରମ୍ପ ଆଗରେ ଅଛନ୍ତି।