Odisha Link
Bridging the Missing Links in Odisha

ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ସମର୍ଥନ, ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ

ଓଏଲ୍‌ ବ୍ୟୁରୋ: ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍‌କୁ ନେଇ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ ବିରୋଧ କରିଛନ୍ତି। ଅନ୍ୟପଟେ ବିଜୁ ଜନତା ଦଳ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ସର୍ମଥନ ଜଣାଇଛି।

ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, କେନ୍ଦ୍ର ସରକାର ସମ୍ବିଧାନକୁ ଦୁର୍ବଳ କରୁଛନ୍ତି। ଦିଲ୍ଲୀ ସରକାରଙ୍କ ଅଧିକାରକୁ ହ୍ରାସ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଅଧୀର ରଞ୍ଜନ କହିଛନ୍ତି। ସେ କହିଛନ୍ତି ଯେ ଏହି ବିଲ୍‌ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି।

ଏହି ପ୍ରସଙ୍ଗରେ ଆମ୍‌ ଆଦମ ପାର୍ଟି ସାଂସଦ ରାଘବ ଚଡ୍ଡା କହିଛନ୍ତି, ଯଦି ଏହି ବିଲ୍ ପାରିତ ହୁଏ ତେବେ ଦିଲ୍ଲୀରେ ବିଦ୍ୟୁତ୍‌ ଓ ଜଳ ବିଲ ଶୂନକୁ ଆସିବ କି ନାହିଁ ତାହା ବିଜେପିର ଏଲ୍‌ଜି ନିଷ୍ପତ୍ତି ନେବ। ବିଜେପି ଗଣତନ୍ତ୍ର ଏବଂ ସମ୍ବିଧାନକୁ ହତ୍ୟା କରୁଛି।

କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ: 

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ବିରୋଧୀ ଅଟଳ ଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ସେପଟେ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ। ସେହିପରି ଦିଲ୍ଲୀ ବିଧେୟକକୁ ସମର୍ଥନ କରିବ ଦଳ। ସେଥିପାଇଁ ଆଲୋଚନା ବେଳେ ଉଭୟ ରାଜ୍ୟସଭା ଓ ଲୋକସଭାରେ ସମସ୍ତ ବିଜେଡି ସାଂସଦକୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

Leave A Reply

Your email address will not be published.