Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ଦେଢ଼ କ୍ବିଣ୍ଟାଲ ସୁନା; ଆଉ କ’ଣ କ’ଣ ଅଛି ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଶେଷଥର ପାଇଁ ୧୯୭୮ ମସିହାରେ ଯେଉଁ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକର ହିସାବ କରାଯାଇଥିଲା। ତାହାର ରିପୋର୍ଟ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର।

ସତ୍ୟପାଠରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି ଯେ, ରତ୍ନଭଣ୍ଡାରରେ ୩ଟି କକ୍ଷ ରହିଛି। ଭିତର ରତ୍ନଭଣ୍ଡାର, ବାହାର ରତ୍ନ ଭଣ୍ଡାର ଓ ଚଳନ୍ତି ରତ୍ନଭଣ୍ଡାର ରହିଛି। ଭିତର ରତ୍ନଭଣ୍ଡାରରେ ୫୦ କେ ଜି ୬୦୦ ଗ୍ରାମ ସୁନା ଅଳଙ୍କାର ରହିଥିବା ବେଳେ ୧୩୪ କେଜି ୫୦ଗ୍ରାମର ରୂପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ଗ୍ରାମ ସୁନା ଏବଂ ୧୯ କେଜି ୪୮୦ଗ୍ରାମର ରୂପା ଅଳଙ୍କାର ରହିଥିବା ସତ୍ୟପାଠରେ ଦର୍ଶାଯାଇଛି । ସେହିପରି ମହାପ୍ରଭୁଙ୍କ ନିତିଦିନିଆ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୩ କେଜି ୪୮୦ଗ୍ରାମର ସୁନା ଏବଂ ୩୦ କେଜି ୩୫୦ ଗ୍ରାମର ରୂପା ଅଳଙ୍କାର ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି।

ଭିତର ରତ୍ନଭଣ୍ଡାରରରେ ରହିଥିବା ଅଳଙ୍କାରଗୁଡ଼ିକ କେବେବି ବ୍ୟବହାର କରାଯାଏନାହିଁ । ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରଗୁଡ଼ିକ ପର୍ବ ପର୍ବାଣୀରେ ବ୍ୟବହାର କରାଯାଇଥାଏ। ତେବେ ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରର ଅଳଙ୍କାର ବ୍ୟବହାର ହୋଇଥାଏ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି।

ସୂଚନାଥାଉକି, ରତ୍ନଭଣ୍ଡାର ସ୍ଥିତି ଭଲ ନଥିବାରୁ ଏହାକୁ ଖୋଲିବା ଲାଗି ପୁରୀ ଗଜପତି ମହାରାଜ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଭଳି ପ୍ରମୁଖ ସେବାୟତ ବହୁ ପୂର୍ବରୁ ଦାବି କରି ଆସୁଛନ୍ତି। ଏପରିକି ବିରୋଧୀ ମାନେ ମଧ୍ୟ ଦାବି କରି ଆସୁଛନ୍ତି।

Leave A Reply

Your email address will not be published.