Odisha Link
Bridging the Missing Links in Odisha

ବନ୍ୟା ଭୟ: ମୁଣ୍ଡଳି ନିକଟରେ ବଢୁଛି ଜଳସ୍ତର

ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା ପ୍ରଭାବରେ ମୁଣ୍ଡଳି ନିକଟରେ ଜଳସ୍ତର ବଢ଼ିବାରେ ଲାଗିଛି। ମହାନଦୀରୁ ଜଳ ନିଷ୍କାସନ ହେଉଥିବାବେଳେ ମଧ୍ୟ ମୁଣ୍ଡଳି ନିକଟରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହା ସହ ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ୧୨ ଟି ଜିଲ୍ଲାର ପ୍ରାୟ ୪୮୧ ଟି ଗାଁ ପ୍ରଭାବିତ ହୋଇଛି। ଏବେ ଯାଏ ଚାରି ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ସ୍ଥିତିର ସୁଧାର ଆସିଲେ କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବନ୍ୟାକୁ ଦେଖି ଭାର୍ଗବୀ ଓ ଦୟା ନଦୀର ବନ୍ୟା ସ୍ଥିତି ଉପରେ ନଜର ରଖିବାକୁ ଚିନ୍ମୟ ରଂଜନ ରାଉତଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ମିଳିଥିବାବେଳେ ଲୁଣା ଓ କରଣ୍ଡିଆ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଆର୍ତ୍ତତ୍ରାଣ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ମିଳିଛି।

ସେହିଭଳି ବିଘ୍ନରାଜ ପୁରୋହିତ ଖୋର୍ଦ୍ଧାରେ ବନ୍ୟାସ୍ଥିତି ଉପରେ ନଜର ରଖିବେ। ପ୍ରତୀକ ଦୀକ୍ଷିତ କଟକ ମହାନଦୀ ବ୍ୟାରେଜ ଉପରେ ନଜର ରଖିବେ। ଶକ୍ତି ପ୍ରସାଦ ଦାଶ ନୃତ୍ତଙ୍ଗ ଅଞ୍ଚଳର ଦାୟିତ୍ୱ ମିଳିଛି। ହିମାଂଶୁ କୁମାର ଜେନା ବଳଙ୍ଗା ଅଞ୍ଚଳ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଦାୟିତ୍ୱ ମିଳିଥିବାବେଳେ ରାଜୁଆ ନଦୀ ବନ୍ୟାଜଳ ଉପରେ ନଜର ରଖିବେ ଏନ ଏସ କେ ଚୌଧୁରୀ। ତନୁଜ କିଶୋର ରାଉତଙ୍କୁ ସାକ୍ଷୀଗୋପାଳ ଅଞ୍ଚଳର ବନ୍ୟାସ୍ଥିତି ନଜର ରଖିବାକୁ ଦାୟିତ୍ୱ ମିଳିଛି।

Leave A Reply

Your email address will not be published.