ରାଜ୍ୟରେ ବନ୍ୟା ଭୟ: ୭ ଜିଲ୍ଲା ପାଇଁ ନିୟୋଜିତ ହେଲେ ଉଦ୍ଧାରକାରୀ ଦଳ
![](https://www.odishalink.com/wp-content/uploads/2023/08/SRC-OD-750x430.jpg)
ଓଏଲ୍ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିିିିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନର ସହାୟତା ପାଇଁ ୭ ଜିଲ୍ଲା ପାଇଁ ଟିମ୍ ନିୟୋଜିତ କରାଯାଇଛି। କେନ୍ଦ୍ରାପଡ଼ାକୁ ୧୦, ପୁରୀକୁ ୧୨, କଟକ ସଦର ପାଇଁ ୧୦, ଆଠଗଡ଼ ୮, ନୟାଗଡ଼କୁ ୮, ଜଗତସିଂହପୁରକୁ ୯, ଖୋର୍ଦ୍ଧାକୁ ୫ଟି ଟିମ୍ ନିୟୋଜିତ କରାଯାଇଛି। ଉଦ୍ଧାରକାରୀ ଦଳ ସହ ବୋଟ ମଧ୍ୟ ପଠାଯାଇଛି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ବଡ଼ ଧରଣର ନୁହେଁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି। ମହାନଦୀ ବନ୍ୟାଜଳ ମୁଣ୍ଡଳୀରେ ସନ୍ଧ୍ୟା ସୁଦ୍ଧା ପିକରେ ପହଞ୍ଚିବ। ୯ ଲକ୍ଷରୁ ସାଢ଼େ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଏହା ସହ ଆଜି ରାତି ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସୂଚନା ଦେଇଛନ୍ତି।
ଏହା ସହ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ସ୍ଥିତି ଉପରେ ନଜର ରହିଛି, ଜିଲ୍ଲାପାଳମାନେ ସତର୍କ। ଜଳସମ୍ପଦ ବିଭାଗ ଅଧିକାରୀମାନେ ସଜାଗ ରହିଛନ୍ତି। ମୁଣ୍ଡଳୀଠାରେ ବିପଦ ସଙ୍କେତ ସ୍ତର ୯୭.୨୫ ମିଟର। ବର୍ତ୍ତମାନ ବନ୍ୟାଜଳ ୯୩.୧୦ ଘନମିଟରରେ ପହଞ୍ଚିଛି।