ନୟାଗଡ଼ରୁ ରୁଷ ଅଭିମୁଖେ ଆଇରନ୍ ମ୍ୟାନ୍ ସୌଭାଗ୍ୟ
ଓଏଲ୍ ବ୍ୟୁରୋ: ନୟାଗଡ଼ର ଗୌରବ ଆଇରନ୍ ମ୍ୟାନ୍ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍ ଓ ରୁଷ୍ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍ବ୍ରସ୍ ଚଢ଼ିବାକୁ ଯାଉଛନ୍ତି। ଏଥିପାଇଁ ସେ ଆଜି ନୟାଗଡ଼ରୁ ରୁଷ୍ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରା ପୂର୍ବରୁ ଆଜି ସକାଳେ ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
https://www.facebook.com/photo/?fbid=195660030159627&set=a.113545891704375
ନିକଟରେ ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ନୟାଗଡ଼ର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କରୁଣାକର ପଟ୍ଟନାୟକ, ଭାରତ ସରକାରଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ଓ ଡିଏଭିପିର ପୂର୍ବତନ ମହାନିର୍ଦେଶକ ତଥା ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦେଶକ ଡ. ଉମାକାନ୍ତ ମିଶ୍ର ଏବଂ ପ୍ରଥିତଯଶା ଲେଖକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ସୌଭାଗ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
ସୌଭାଗ୍ୟ କେବଳ ନୟାଗଡ଼ ନୁହେଁ, ଓଡ଼ିଶା ଓ ଭାରତ ପାଇଁ ଆଣିବେ ଏବଂ ତାଙ୍କୁ ସାରା ରାଜ୍ୟ ସ୍ବାଗତ କରିବ ବୋଲି ନିଜର ବକ୍ତବ୍ୟରେ କହିଥିଲେ ଶ୍ରୀ କରୁଣାକର ପଟ୍ଟନାୟକ। ସାଧୁତା, କଠିନ ପରିଶ୍ରମ ଓ ବିନମ୍ରତା ସଫଳତା ଆଣିଥାଏ ବୋଲି କହିଥିଲେ ଡ. ଉମାକାନ୍ତ ମିଶ୍ର। ସୌଭାଗ୍ୟଙ୍କ ପାଖରେ ଏ ତିନି ଗୁଣ ଥିବାରୁ ସେ ନିଶ୍ଚୟ ସଫଳ ହୋଇ ଫେରିବେ ବୋଲି ଆଶା କରିଥିଲେ ଡ. ମିଶ୍ର। ପ୍ରତିଟି ସଫଳତା ପଛରେ ଅନେକ ବିଫଳତାର ତାଲିକା ଥାଏ। ମନୋବଳ ଦୃଢ଼ କରି ସୌଭାଗ୍ୟ ଆଗକୁ ବିଶ୍ବର ଅନ୍ୟ ଗିରିଶୃଙ୍ଗ ମଧ୍ୟ ଲଙ୍ଘିପାରିବେ ବୋଲି ଆଶା କରିଥିଲେ ଦାଶ ବେନହୁର।
ସୂଚନାଯୋଗ୍ୟ, ଆଜି ସକାଳୁ ଭୁବନେଶ୍ବରରୁ ଦିଲ୍ଳୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ସୌଭାଗ୍ୟ। ସେହପିରି ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିବେ। ଅଗଷ୍ଟ ୭ରେ ମସ୍କୋରୁ ‘ମିନେରାଲନୀ ଭଡୀ’ ଯାତ୍ରା କରିବେ। ତହିଁ ପରଦିନ ଅଗଷ୍ଟ ୮ ତାରିଖରେ ତାଙ୍କର ଦୁଃସାହସିକ ପର୍ବତାରୋହଣ ଆରମ୍ଭ ହେବ।