କେଦାରନାଥ ଯାତ୍ରା ପଥରେ ଅଘଟଣ: ୩ ମୃତ, ୧୭ ଜଣ ନିଖୋଜ
କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ କିଛି ଯାତ୍ରୀ ପୋତି ହୋଇପଡ଼ିଥିବା ଜଣା ପଡିଛି।

ଓଏଲ୍ ବ୍ୟୁରୋ: କେଦାରନାଥ ଯାତ୍ରା ପଥରେ ଅଘଟଣ। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହୋଇଥିବା ସୂଚନା ରହିଛି। କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ କିଛି ଯାତ୍ରୀ ପୋତି ହୋଇପଡ଼ିଥିବା ଜଣା ପଡିଛି। ପ୍ରବଳ ବୃଷ୍ଟିପାତ ପରେ ଗୌରୀକୁଣ୍ଡ ନିକଟରେ ଘଟିଥିବା ଏହି ଅଘଟଣରେ ୩ଟି ଦୋକାନ ମଧ୍ୟ ନଷ୍ଟ ହୋଇଯାଇଥିବା ଜଣା ପଡିଛି।
ସୂଚନା ଅନୁସାରେ, କେଦାରନାଥ ଠାରୁ ୧୬ କିଲୋମିଟର ପୂର୍ବରୁ ରୁଦ୍ରପ୍ରୟାଗ ଜିଲ୍ଲାର ଗୌରୀକୁଣ୍ଡ ନିକଟରେ ଘଟିଥିବା ଅଘଟଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ହୋଇଯାଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ପର୍ବତରୁ ଆସିଥିବା ଭାରୀ ଆବର୍ଜନାରେ ଦୁଇଟି ରାସ୍ତା କଡ଼ରେ ଥିବା ୩ଟି ଦୋକାନ ନଷ୍ଟ ହୋଇଯାଇଥିଲା। ଏହି ଦୋକାନରେ ୪ ଜଣ ସ୍ଥାନୀୟ ଲୋକ ଏବଂ ନେପାଳୀ ୧୬ ଜଣ ଲୋକ ଥିଲେ। ଏସଡିଆରଏଫର ସର୍ଚ୍ଚ ଅପରେସନ୍ ଚାଲିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।