ଖୋଲିଲା ହୀରାକୁଦର ଆଉ ୫ ଗେଟ୍, ମୋଟ୍ ୧୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ୧୨ଟି ଗେଟ୍ ଖୋଲିଥିଲା। ବର୍ତ୍ତମାନ ଆଉ ୫ଟି ଗେଟ ଖୋଲିଛି। ମୋଟ୍ ୧୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଛି।
ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଥିବାରୁ ହୀରାକୁଦ ଗେଟ୍ ଖୋଲିଛି ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଉପରମୁଣ୍ଡର ବର୍ଷା, ଡ୍ୟାମର ଜଳଧାରଣା କ୍ଷମତା ଏବଂ ପାଣିପାଗ ବିଭାଗର ସମ୍ଭାବ୍ୟ ଆକଳନକୁ ଦୃଷ୍ଟିରେ ରଖି ବନ୍ୟାଜଳ ନିଷ୍କାସିତ ହୋଇଛି। ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଂଚଳ ଲୋକଙ୍କୁ ସତର୍କ କରାଯାଇଛି।
ଅନ୍ୟପଟେ, ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ଭଦ୍ରକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ଭଦ୍ରକ ଜିଲ୍ଲାରେ ଜଳମଗ୍ନ କାରଣରୁ ଧାମନଗରର ବିଭିନ୍ନ ସ୍କୁଲ ବନ୍ଦ କରାଯାଇଛି। ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିଚାଳନା ବୈଠକ ଆୟୋଜିତ ହୋଇଯାଇଥିଲା।