ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା: ଏବେ ବି ସସପେନ୍ସରେ ମୃତ୍ୟୁର କାରଣ, ଛାନଭିନ ଜାରି

ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ କଟକରୋଡ୍ ହୋଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଦୀପାଳି ହୋଟେଲର ୨୦୫ ନମ୍ବର ରୁମରେ ମୃତ୍ୟୁ ପୂର୍ବରୁ କଣ ହୋଇଥିଲା ସେ ନେଇ ପୁଲିସ ଛାନଭିନ ଜାରି ରଖିଥିବାବେଳେ ସମ୍ପର୍କୀୟ ଅଙ୍କଲକୁ ନେଇ ଚର୍ଚ୍ଚା ବଢୁଛି। ଏହି ଘଟଣାରେ ସେ କହିଛନ୍ତି, ଶୁଭଲକ୍ଷ୍ମୀଙ୍କୁ କାମର ଆବଶ୍ୟକ ଥିଲା। କିନ୍ତୁ ନାବାଳିକା ଥିବାରୁ ତାଙ୍କୁ କେହି କାମ ଦେଇନଥିଲେ। ପରେ ସେ ତାଙ୍କ ପାଇଁ କାମ ଯୋଗାଡ କରିଥିଲେ। ସମ୍ପର୍କୀୟ ଅଙ୍କଲ ଆହୁରି ସଫେଇ ଦେଇଛନ୍ତି, ୩ ମାସ ହେଲା ଶୁଭଲକ୍ଷ୍ମୀ ତାଙ୍କ ପାଖରେ ରହୁନଥିଲେ। ଏହା ସହ ତାଙ୍କ ଭିଡିଓ ରଖି ବ୍ଲାକମେଲ କରିବା କଥାକୁ ସେ ଅସ୍ୱୀକାର କରିଛନ୍ତି।
ଅନ୍ୟପଟେ, ଏହି ଘଟଣାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିଜ ଆଡୁ ମାମଲା ରୁଜୁ କଲେ। ନିଜ ମାମଲା ରୁଜୁ ସହ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରାଯାଇଛି। ଶୁଭଲକ୍ଷ୍ମୀ ସାହୁଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବାବେଳେ ବର୍ତମାନ ପୁଲିସକୁ ମୃତ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ସିଡିଆର୍ ରିପୋର୍ଟ ମିଳିଛି। ଗତ ୨ ମାସର ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ୍ ରେକର୍ଡ ମିଳିଲା। ଶେଷ କଲ୍ କାହାର ଓ କାହାଠାରୁ ବେଶି କଲ୍ ଆସିଥିଲା, ତର୍ଜମା କରାଯିବ। ପାଖକୁ ଆସିଥିବା ସନ୍ଦିଗ୍ଧ କଲ୍ ନେଇ ମଧ୍ୟ ପୁଲିସ ତର୍ଜମା କରିବ ବୋଲି ସୂଚନା ରହିଛି।
ସୂଚନା ଅନୁସାରେ, ହୋଟେଲରେ ମୃତ ଶୁଭଲକ୍ଷ୍ମୀ ସାହୁଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀଙ୍କ ମୃତଦେହରୁ ନିଶାଦ୍ରବ୍ୟର ନମୁନା ମିଳିଥିଲା। ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା କରିଥିବା ଜଣାପଡ଼ିଥିଲା। କିନ୍ତୁ ଏହା ବିଷ କି ନିଶାଜାତୀୟ ଦ୍ରବ୍ୟ ତାହା ସ୍ପଷ୍ଟ ହୋଇନାହିଁ। ଏହା ସହ ଶୁଭଲକ୍ଷ୍ମୀଙ୍କ ଦେହରେ କୌଣସି ବାହ୍ୟ ଦାଗ ନଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ମୃତ ଶୁଭଲକ୍ଷ୍ମୀଙ୍କ ବେକରେ ଥିବା ଦାଗ ମୃତ୍ୟୁ ପରର ହୋଇଥିବା କୁହାଯାଉଥିବାବେଳେ ଶ୍ବାସରୁଦ୍ଧରୁ ମୃତ୍ୟୁ ହୋଇଥିବା କୁହାଯାଉଛି।