ନ୍ୟାୟ ପ୍ରଣାଳୀରେ ବଡ଼ଧରଣର ପରିବର୍ତ୍ତନ: ଶେଷ ହେବ ଦେଶଦ୍ରୋହ ଆଇନ
ରାଜଦ୍ରୋହ ଆଇନକୁ ଶେଷ କରିବାର ପ୍ରସ୍ତାବ ରଖାଯାଇଛି।
ଓଏଲ୍ ବ୍ୟୁରୋ: ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ହେବାକୁ ଯାଉଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ସଂସଦ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ଘେରିଥିବାବେଳେ ଶାସକଦଳ ମଧ୍ୟ ଏହାର ଜବାବ ରଖିଥିବା ଦେଖିବାକୁ ମିଳିଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଛନ୍ତି, ରାଜଦ୍ରୋହ ଆଇନକୁ ଶେଷ କରାଯାଉଛି।
ଏହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଗତ କିଛି ଦଶକ ଧରି ଚାଲିଥିବା ଏହି ଆଇନକୁ ନେଇ ଖୁବ୍ ବିବାଦ ମଧ୍ୟ ହୋଇଥିଲା। ବହୁ ବିରୋଧି ଦଳ ଏହାକୁ ଶେଷ କରିବାକୁ ଦାବି କରିଥିଲେ ଓ ଏହାକୁ ଦୁରୁପଯୋଗ କରିବାର ଅଭିଯୋଗ ମଧ୍ୟ ଲାଗିଥିଲା। ଏବେ ଭାରତୀୟ ଦଣ୍ଡ ସଂହିତାର ସ୍ଥାନ ଭାରତୀୟ ନ୍ୟାୟ ସଂହିତା ହେବ, ସେଭଳି ସିଆରପିସିର ସ୍ଥାନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ହେବ। ଏଭଳି ଭାବରେ ଏଭିଡେନ୍ସ ଆକ୍ଟର ନାଁ ବଦଳିକି ଏବେ ଭାରତୀୟ ସାକ୍ଷ୍ୟ ଅଧିନିୟମ କରାଯାଇଛି ଓ ରାଜଦ୍ରୋହ ଆଇନକୁ ଶେଷ କରିବାର ପ୍ରସ୍ତାବ ରଖାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ମୁଁ ଯେଉଁ ତିନି ବିଲ୍ ଏକାଠି ନେଇକି ଆସିଛି, ସେ ତିନୋଟି ବିଲ୍ ଦଣ୍ଡ ବିଧାନ ପକ୍ରିୟା କ୍ରିମିନାଲ ଜଷ୍ଟିସ୍ ସିଷ୍ଟମକୁ ସୁଧାରିବ। ପ୍ରଥମ ଇଣ୍ଡିଆନ୍ ପେନାଲ କୋଡ୍, ଯାହାକି ୧୮୬୦ ରେ ତିଆରି କରାଯାଇଥିଲା। ଦ୍ବିତୀୟ କ୍ରିମିନାଲ ପ୍ରୋସିଜ୍ୟୁର କୋଡ୍, ଯାହାକି ୧୮୯୮ରେ ତିଆରି କରାଯାଇଛି ଓ ତୃତୀୟ ହେଉଛି ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ଯାହାକି ୧୮୭୨ ରେ ଇଂରେଜଙ୍କ ସଂସଦରେ ପାସ୍ କରାଯାଇଥିଲା। ତିନୋଟିକୁ ଆଜି ଆମେ ଶେଷ କରି ତିନୋଟି ନୂଆ ଆଇନ ତିଆରି କରିବାକୁ ଆସିଛୁ।
ଅମିତ ଶାହ ଯେଉଁ ୩ ଆଇନ ଘୋଷଣା କରିଛନ୍ତି ସେଗୁଡିକ ହେଉଛି ଭାରତୀୟ ନ୍ୟାୟ ସଂହିତା -୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଓ ଭାରତୀୟ ସାକ୍ଷ ବିଧେୟକ-୨୦୨୩। ବିଧେୟକ ଉପସ୍ଥାପନ କରି ଅମିତ ଶାହ ତାଙ୍କ ଭାଷଣରେ କହିଛନ୍ତି ଯେ ୧୮୬୦ରୁ ୨୦୨୩ ପର୍ଯ୍ୟନ୍ତ ଦେଶର ଅପରାଧୀକ ନ୍ୟାୟ ପ୍ରଣାଳୀ ଇଂରେଜଙ୍କ ପ୍ରସ୍ତୁତ ଆଇନରେ ଚାଲୁଥିଲା। ଏହି ୩ଟି ଆଇନକୁ ବଦଳାଇ ଦିଆଯିବ ଓ ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀରେ ବଡ଼ଧରଣର ପରିବର୍ତ୍ତନ ଅଣାଯିବ।