ଦୁର୍ବଳ ହେଲା ମୌସୁମୀ: ୧୨୬ ବର୍ଷ ପରେ ରେକର୍ଡ ସୃଷ୍ଟି କଲା ତାପମାତ୍ରା
ଓଏଲ୍ ବ୍ୟୁରୋ: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ଦୁର୍ବଳ ହେବାରୁ ୧୨୬ ବର୍ଷରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀରେ ସର୍ବୋଚ୍ଚ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି। ୧ ଅଗଷ୍ଟ ୧୯୭୨ରେ ସର୍ବକାଳୀନ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।
ଏହା ସହ ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ, ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବା ସହ ହାରାହାରି ୪.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୮ ମିମି ତୁଳନାରେ ୫୨ ପ୍ରତିଶତ କମ ରହିଛି। ଆଗାମୀ ୪ ରୁ ୫ଦିନ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିବାର ସମ୍ଭାବନା ଥିବାରୁ ବଡ଼ ବର୍ଷାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।