ଭତ୍ତା ଲୋଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଓଏଲ୍ ବ୍ୟୁରୋ: ଜୁଲାଇ ମାସରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ। ଯାହାଫଳରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ଭତ୍ତା ଲୋଡ଼ି ପୁଣିଥରେ ଚର୍ଚ୍ଚାର ପରିସରରେ ଦିଲ୍ଲୀପ ପଟ୍ଟନାୟକ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା, ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଦିଲ୍ଲୀପ ପଟ୍ଟନାୟକ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ନିକଟରେ ଦିଲ୍ଲୀପ ପଟ୍ଟନାୟକ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନିଜକୁ ସାମିଲ କରିବାକୁ ଆବେଦନ କରିଛନ୍ତି। ସବୁଠୁ ବଡ଼କଥା ହେଲା କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଦରଖାସ୍ତରେ ନିଜକୁ ଜଣେ ଅସହାୟ ବୃଦ୍ଧ ବୋଲି ଦର୍ଶାଇ ଦିଲ୍ଲୀପ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ନିବେଦନ କରିଛନ୍ତି। ଶ୍ରୀ ପଟ୍ଟନାୟକ ଜଣେ ସୂଚନା ଅଧିକାର କର୍ମୀଙ୍କ ସହାୟତାରେ ଭତ୍ତା ଆବେଦନ କରିଥିବା ଜଣାପଡ଼ିଛି।
୭୬ ବର୍ଷିୟ ଦିଲ୍ଲୀପ ଏବେ ସରକାର ଭତ୍ତା ଯୋଜନା ଜଣେ ଯୋଗ୍ୟ ହିତାଧିକାରୀ। ତେବେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପଙ୍କ ଭାଇ ଏଭଳି ଅବସ୍ଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜୁଲାଇ ମାସରେ ବିଭିନ୍ନ ଗଣମାଧ୍ୟମରେ ଦିଲ୍ଲୀପଙ୍କ ଦୁର୍ଦ୍ଦିନ ସଂପର୍କିତ ଖବର ପ୍ରକାଶ ପାଇଥିଲା। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଦିଲ୍ଲୀପଙ୍କୁ ଭେଟି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଭିନ୍ନ ସଂଗଠନର ସଦସ୍ୟମାନେ ଦିଲ୍ଲୀପଙ୍କୁ ଭେଟି ସମବେଦନା ଜଣାଇଥିଲେ। ମାତ୍ର ସରକାର କୌଣସି ସହଯୋଗ କରିନାହାନ୍ତି।