ହିମାଚଳର କରୁଣ କାହାଣୀ: ବନ୍ୟା, ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି
ଓଏଲ୍ ବ୍ୟୁରୋ: ହିମାଚଳ ପ୍ରଦେଶରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ହିମାଚଳ ପ୍ରଦେଶରେ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ରବିବାର ଠାରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଶୋଚନୀୟ ହେବାରେ ଲାଗିଛି। କାଙ୍ଗ୍ରା ଜିଲ୍ଲାରେ ପୋଙ୍ଗ ଡ୍ୟାମ ଖୋଲିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ୧୭ ଶହ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଆର୍ମି, ଆଇଏଏଫ, ଜିଲ୍ଲା ପ୍ରଶାସନ ସାମିଲ ରହିଥିଲେ।
ସୂଚନା ଅନୁସାରେ, ସିମଲାରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ହୋଇଛି। ଫଳରେ ସେଠାରେ ଏକ ମନ୍ଦିର ଭୁଶୁଡି ପଡିବା ସହ ଏଥିରେ ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି। ଭୂସ୍ଖଳନ ପରେ ସେଠାରେ ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରରେ ଭିଡ ଥିଲା। ଭୂସ୍ଖଳନ ହେବାରୁ ଭକ୍ତମାନେ ମାଟି ତଳେ ଚାପି ହୋଇ ରହିଥିବା କୁହାଯାଉଛି।