ବଢୁଛି ଉତ୍କଣ୍ଠା, ଆସନ୍ତାକାଲି ଚନ୍ଦ୍ରରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ-୩

ଓଏଲ୍ ବ୍ୟୁରୋ: ଗଡୁଛି ସମୟ ଆଉ ବଢୁଛି ହୃଦସ୍ପନ୍ଦନ। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହାରି ଭିତରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଛି। କକ୍ଷପଥର ଆକାର ହ୍ରାସ କରାଯିବା ପରେ ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ଓ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ପ୍ରଦକ୍ଷିଣ କରୁଛି। ଏହାରି ମଧ୍ୟରେ ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଥିଲା ଚନ୍ଦ୍ରଯାନ-୩। ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ଲ୍ୟାଣ୍ଡର ବିକ୍ରମ ସୁରକ୍ଷିତ ସ୍ଥାନ ଖୋଜୁଛି। ଏଲଏଚଡିଏ କ୍ୟାମେରାରୁ ଏହି ଫଟୋ ଉତୋଳନ କରି ଲ୍ୟାଣ୍ଡର ପଠାଇଛି।
ଏଲଏଚଡିଏସି ଅର୍ଥାତ ଲ୍ୟାଣ୍ଡର ହାଜାର୍ଡ ଡିଟେକସନ ଆଣ୍ଡ ଆଭଏଡାନ୍ସ କ୍ୟାମେରା। ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ସ୍ଥାନ ଖୋଜିବା ପାଇଁ ଏହି କ୍ୟାମେରା ସହଯୋଗ କରୁଛି। ଏହି ଫଟୋ ଗୁଡିକ ଜରିଆରେ ଲ୍ୟାଣ୍ଡର କେଉଁ ସ୍ଥାନରେ ଓହ୍ଳାଇବ ତାହା ଚିଂହ୍ନଟ କରାଯିବ। ସୁରକ୍ଷିତ ଲ୍ୟାଣ୍ଡିଂ ନେଇ ଜାଗା ଚିହ୍ନଟ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହି ନୂଆ ଫଟୋ ଗୁଡିକୁ ସେୟାର କରାଯାଇଛି। ଆସନ୍ତାକାଲି ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।