ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ, ଚନ୍ଦ୍ରଯାନ-୩ରେ ଓଡ଼ିଆଙ୍କ ଅବଦାନ
ଓଏଲ୍ ବ୍ୟୁରୋ: ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ। ଏହା ପରେ ମିଶନ ଚନ୍ଦ୍ରୟାନ-୩କୁ ନେଇ ଇସ୍ରୋ ଟ୍ୱିଟ୍ କରିଛି। ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର ‘ପ୍ରଜ୍ଞାନ’। ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବା ପାଇଁ ରୋଭର ଘୂରି ବୁଲୁଛି।
ଚନ୍ଦ୍ରଯାନର ସଫଳତାକୁ ନେଇ ସାରା ଦେଶରେ ଉତ୍ସାହ ଥିବାବେଳେ ବିଶ୍ୱର ଅନେକ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ସଫଳତା ପଛରେ ଓଡ଼ିଆଙ୍କ ଅବଦାନ ମଧ୍ୟ କମ୍ ନୁହେଁ। ଚନ୍ଦ୍ରଯାନ-୩ ସଫଳତା ପଛରେ ଓଡ଼ିଆ ବୈଜ୍ଞାନିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରହ୍ମପୁରର କେ. ନାଗରାଜ, ବ୍ରହ୍ମପୁରର ଦେବାଶିଷ ମହାପାତ୍ର, ଢେଙ୍କାନାଳ ଭୂବନର ଡକ୍ଟର ଶରତ ଦାସ ଓ କେନ୍ଦ୍ରାପଡ଼ା ଚନ୍ଦନଗରର ସୁଶୀଲ କୁମାର ନାୟକଙ୍କ ଭୂମିକା ରହିଛି। ସୁଶୀଲ ୧୦ ଜଣିଆ ବୈଜ୍ଞାନିକ ଟିମର ନେତୃତ୍ୱ ନେଇଥିଲେ। ଚନ୍ଦ୍ରଯାନ-୩ ପାଇଁ ଯେଉଁ ପ୍ରକଳ୍ପ ପ୍ରସ୍ତୁତି ହୋଇଥିଲା ତାର ରୂପରେଖ ସୁଶୀଲଙ୍କ ନେତୃତ୍ୱରେ ଏକ ଟିମ୍ କରିଥିଲା। ଏଥିପାଇଁ ୧୧ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଯାହା ଚନ୍ଦ୍ରପୃଷ୍ଟରେ ସଫଳତାର ସହ ଅବତରଣ କରିଛି।
ସୂଚନା ଅନୁସାରେ, ଦୁଇ ଦୁଇଟି ପରୀକ୍ଷଣ ବିଫଳ ହେବା ପରେ ଶେଷରେ ଇସ୍ରୋର ତୃତୀୟ ପ୍ରଚେଷ୍ଟା ସଫଳ ହୋଇଛି। ଗତକାଲି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ନରମ ଅବତରଣ ହୋଇଛି। ଏହାପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରଠୁ ଅଲଗା ହୋଇଯାଇଛି। ମହାକାଶ ଅନୁସନ୍ଧାନର ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡ଼ିଛି ଏହି ସ୍ୱର୍ଣ୍ଣିମ ଅଧ୍ୟାୟ।
ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବ ରୋଭର୍। ଏହି ସମୟରେ ଇସ୍ରୋ ଆଶା କରୁଥିବା ଚନ୍ଦ୍ରପୃଷ୍ଠର ବିଭିନ୍ନ ସୂଚନା ପଠାଇବ। ଜହ୍ନ ରାଇଜରେ ଜଳର ଅନୁସନ୍ଧାନ ସହ ବାୟୁମଣ୍ଡଳୀୟ ସୂଚନା ମଧ୍ୟ ଦେବ ରୋଭର୍। ଜହ୍ନରେ ଜଳର ଉପସ୍ଥିତି ଭବିଷ୍ୟତ ମୁନ୍ ମିଶନ୍ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି। ଏଠାରେ ଥିବା ଜଳ ପାନୀୟ ଭାବରେ ବ୍ୟବହାର ହୋଇପାରିବ କି ନାହିଁ, ଏଠାରେ ଅମ୍ଳଜାନ ପ୍ରସ୍ତୁତି କରାଯାଇ ପାରିବ କି ନାହିଁ, ଏଭଳି ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିବ ଇସ୍ରୋ। ତେବେ ଜୁଲାଇ ୧୪ରେ ଏହା ଶ୍ରୀହରିକୋଟାରେ ଉତକ୍ଷେପଣ ହୋଇଥିଲା। ବୈଜ୍ଞାନିକ ମାନଙ୍କର ଦୀର୍ଘ ଦିନର ପରିଶ୍ରମରେ ସଫଳ ଅବତରଣ ହୋଇଛି।