ଜାଭଲିନ୍ ଥ୍ରୋୟର କିଶୋର ଜେନାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଭାରତୀୟ କ୍ରୀଡ଼ା ଇତିହାସରେ ରବିବାର ସବୁଠାରୁ ବଡ଼ ମୁହୂର୍ତ୍ତ ଯୋଡ଼ି ହୋଇଛି। ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟର ଠିକ୍ ଦୁଇ ବର୍ଷ ପରେ ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି।
ଓଡ଼ିଆ ପୁଅ କିଶୋର କୁମାର ଜେନା ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି। ଦମ୍ଦାର ପ୍ରଦର୍ଶନ ସହ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଡିପି ମନୁ ୮୪.୧୪ ମିଟରରେ ତାଙ୍କ ତଳକୁ ରହି ଅଭିଯାନ ଶେଷ କରିଥିଲେ।
ଜାଭଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଚମତ୍କାରିତା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ୮୪.୭୭ ମିଟର ଜାଭଲିନ ପିଙ୍ଗି ପଞ୍ଚମ ସ୍ଥାନରେ ଓଡ଼ିଶାର କିଶୋର ଜେନା ରହିଥିଲେ।