ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ, ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ଜାଗା ମିଶନ ଗରିବଙ୍କୁ ନୂଆ ପରିଚୟ ଦେଇଛି।

ଓଏଲ୍ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ଜାଗା ମିଶନ ଜରିଆରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି। ରାଜ୍ୟର ୫ଟି ମହାନଗର ନିଗମର ୬୫ ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ମିଳିଛି। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିର ଲୋକଙ୍କୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ ପ୍ରଦାନ କରିଛନ୍ତି।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଗରିବଙ୍କ ଦୀର୍ଘଦିନ ସ୍ବପ୍ନ ପୂରଣ ହୋଇଛି। ଆଗକୁ ଘର ନିର୍ମାଣ ପାଇଁ ମିଳିବ ସହାୟତା। ଜାଗା ମିଶନ ଗରିବଙ୍କୁ ନୂଆ ପରିଚୟ ଦେଇଛି। ବିଏମସିରେ ଅକ୍ଟୋବରରେ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯିବ।’
ସୂଚନା ଅନୁସାରେ, ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଜାଗା ମିଶନ ଯୋଜନାରେ ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ଲକ୍ଷ ୭୦ ହଜାର ପରିବାର ନୂଆ ପରିଚୟ ପାଇଛନ୍ତି। ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ନା କେବଳ ଓଡିଶା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୧୦୧୦ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି।