ବିପର୍ଯ୍ୟୟ ମୁକାବିଲା ବୈଠକ: ତାଳଗଛ ରୋପଣ ନେଇ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ!

ଓଏଲ୍ ବ୍ୟୁରୋ: ରାଜ୍ୟରେ ତାଳଗଛ ହ୍ରାସ ବଜ୍ରପାତଜନିତ ମୃତ୍ୟୁର କାରଣ ପାଲଟିଛି। ବିପର୍ଯ୍ୟୟ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି। ଏସଆରସିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟାପକ ବୃକ୍ଷ ରୋପଣ ନେଇ ଏସଆରସି ବୈଠକ କରିଛନ୍ତି। ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ତାଳଗଛ ବୃକ୍ଷରୋପଣ ନେଇ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବିପଦ ପ୍ରବଣ ଜିଲ୍ଲାରେ ତାଳ ଗଛ ଲଗାଇବାକୁ ନିର୍ଦେଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ ମତରେ ବଜ୍ରପାତଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ଏକ ବଡ଼ କାରଣ। ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ସେହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ, ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା। ତାହାର ପ୍ରଭାବରେ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲ ବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ। ସମୟକ୍ରମେ ତାଳଗଛ ସଂଖ୍ୟା କମିବାରେ ଲାଗିଛି। ଫଳରେ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥିବା ଝଙ୍କାଳିଆ ଗଛ ତଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି।