ବିଜେପି ଛାଡ଼ି ବିଜେଡିରେ ମିଶିଲେ କବିସୂର୍ଯ୍ୟନଗରର ବିଧାୟକ ପ୍ରାର୍ଥୀ
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହାର ଆଶା ଆଶଙ୍କା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି ରଞ୍ଜନ ପଲାଇ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଛନ୍ତି। ରଞ୍ଜନ ପଲାଇ କବିସୂର୍ଯ୍ୟନଗରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଶତାଧିକ କର୍ମୀ ଓ ନେତା ବିଜେପି ଛାଡ଼ିଥିବା ସୂଚନା ରହିଛି।
ଅନ୍ୟପଟେ, ଆଜି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନେଇ ଖାରବେଳ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ହୋଇଛି। ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ନିର୍ବାଚନ କମିଶନ ଟିମ୍ ଗତକାଲି ସନ୍ଧ୍ୟାରେ ଆସିଥିଲେ। ନିର୍ବାଚନ ପ୍ରସ୍ତୁତି ନେଇ ଆଜି କେନ୍ଦ୍ର ନିର୍ବାଚନ ଆୟୋଗ ଟିମ ସମୀକ୍ଷା ଆରମ୍ଭ କରିଛନ୍ତି।
ଖାରବେଳ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ୍ ସହ ଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଟିମଙ୍କ ସହ ବୈଠକ ହୋଇଛି। ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଜି ବୈଠକରେ ଆଲୋଚନା ହେବା ନେଇ ସୂଚନା ରହିଛି। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ଚାଲିଛି। ସମ୍ବେଦନଶୀଳ ବୁଥ, ଆଇନ ଶୃଙ୍ଖଳା ସ୍ଥିତି, ଇଭିଏମ ପହଞ୍ଚିବା ଓ ଭୋଟର ତାଲିକା ସଂଶୋଧନ ନେଇ ଆଲୋଚନା ଜାରି ହୋଇଛି।