ରାଜ୍ୟରେ ଲଘୁଚାପ ପ୍ରଭାବ: ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି
ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଦ୍ୱାରା ଆଜି ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକର କିଛି କିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ(ଘଣ୍ଟା ପ୍ରତି ୨ ରୁ ୩ ସେମି) ଲାଗିରଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଗତ ୨୪ଘଣ୍ଟାରେ ୪ ସ୍ଥାନରେ ଅତିପ୍ରବଳ ଏବଂ ୧୭ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। କଳାହାଣ୍ଡି ଲାଞ୍ଜିଗଡରେ ସର୍ବାଧିକ ୧୫୬.୪ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି। କନ୍ଧମାଳ ଦାରିଙ୍ଗବାଡିରେ ୧୨୮ ମିମି, ମାଲକାନଗିରି ଚିତ୍ରାକୁଣ୍ଡରେ ୧୧୭ମିମି, ବରଗଡ ଅତାବିରାରେ ୧୧୬ମିମି ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।