ରାଜ୍ୟ ରାଜନୀତିରେ ହଟଚମଟ: ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ଜବାବ ଦେଲେ କୃଷିମନ୍ତ୍ରୀ
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି। କାରଣ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏହାରି ମଧ୍ୟରେ ସୌମ୍ୟ ପଟ୍ଟନାୟକ ନିଜର ଦଳୀୟ ପଦ ହରାଇଥିବା ଜଣା ପଡିଛି। ବିଜେଡିର ଉପସଭାପତି ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଟାଇଛନ୍ତି।
ଏହା ପରେ ରାଜନୈତିକ ଚର୍ଚ୍ଚା ଆହୁରି ବଢ଼ିବାରେ ଲାଗିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଘଟଣାକୁ ନେଇ କହିଛନ୍ତି, ଥରେ ରାଜା, ଶୌଚ ହେବା ସମୟରେ ଏକ କୋଳି ଖାଇଦେଇଥିଲେ। ସେହି ରାଜ୍ୟରେ ଜଣେ ବାଦକ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ ବେଳେ ‘କହିଦେବିରେ ରାଜା’ ବୋଲି ବାରମ୍ବାର ଉଚ୍ଚାରଣ କରୁଥିଲେ।
ଏକଥା ଶୁଣି ରାଜାଙ୍କ ରହସ୍ୟ ବାଦକ ଜଣଙ୍କ ଜାଣିପାରିଥିବା ସେ ଅନୁମାନ କଲେ। ଆଉ ସେଥିପାଇଁ ସେ ଶୌଚ ହେବା ସମୟରେ କୋଳି ଖାଇଥିବା କଥା ପ୍ରକାଶ କରିଦେବେ ବୋଲି ଚିନ୍ତା କରୁଥିଲେ। ଏକାହାଣୀର ମର୍ମ ହେଉଛି କାହାରି ଦୋଷ ଦୁର୍ବଳତା ଥିଲେ ଏବଂ ସେ ସମ୍ପର୍କରେ କେହି କହିଲେ ତାକୁ ବ୍ଲାକମେଲ ବୋଲି ବିଚାର କରାଯାଏ। ନରସିଂହ ମିଶ୍ର କହିଛନ୍ତି ବିଜେଡି ନେତା ଓ ମନ୍ତ୍ରୀଙ୍କ କୌଣସି ଦୋଷ ଦୁର୍ବଳତା ନଥିଲେ ସେମାନେ ବ୍ଲାକମେଲ କଥା କୁହନ୍ତେ ନାହିଁ। ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ନେଇଥିବା କାର୍ଯ୍ୟାନୁଷ୍ଠାନକୁ ନରସିଂହ ମିଶ୍ର ନାପସନ୍ଦ କରିଛନ୍ତି।
ତେବେ ନରସିଂହ ମିଶ୍ରଙ୍କ ଏହି ମନ୍ତବ୍ୟ ପରେ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଆମ ଦଳର ସର୍ବେସର୍ବା ହେଉଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆମ ପାଇଁ ଆଦେଶ। ନରସିଂହ ନିଜ ଦଳ କଥା ବୁଝନ୍ତୁ, ଆମ ଦଳରେ ମୁଣ୍ଡ ନପୁରାନ୍ତୁ ବୋଲି କହି ନରସିଂହ ମିଶ୍ରଙ୍କ ମନ୍ତବ୍ୟର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜବାବ ଦେଇଛନ୍ତି।