ଡେଙ୍ଗୁ ପରେ ଏବେ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍, ସମ୍ବଲପୁରରେ ୩ ଆକ୍ରାନ୍ତ ଚିହ୍ନଟ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ସ୍କ୍ରବ୍ ଟାଇଫସ୍ ଓଡ଼ିଶାରେ ଡରାଇବାକୁ ଆରମ୍ଭ କଲାଣି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଛନ୍ତି। ଏମିତିକି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଲାଣି। ବର୍ତ୍ତମାନ ପୁଣି ଆଉ ୩ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି।ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ସ୍କ୍ରବ୍ ଟାଇଫସ୍ ଆତଙ୍କ ସୃଷ୍ଟି କରିଛି। ସମ୍ବଲପୁର ବୁର୍ଲାରେ ଆଉ ୩ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ଚିହ୍ନଟ କରାଯାଇଛି।
ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଲୋସିଂହା ବ୍ଲକରେ ବର୍ତ୍ତମାନ ସ୍କ୍ରବ୍ ଟାଇଫସ୍ ବା ଟ୍ରମ୍ବିଆକୁଲାଇଡ୍ନା ମକ ଏକ ବିଷାକ୍ତ କୀଟ ଏବେ ଲୋଇସିଂହା ଓ ଆଗଲପୁର ବ୍ଲକ ସମେତ ବଲାଙ୍ଗିର, ସୋନପୁର ଓ ବରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁଳ ଭାବେ ଦେଖାଯାଉଛି। ଏହି ବିଷାକ୍ତ କୀଟ କାମୁଡ଼ାରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି। ତେବେ ସ୍କ୍ରବ୍ ଟାଇଫସ୍ରେ ହୋଇଥିବା ମୃତ୍ୟୁ ପଛର ପ୍ରମୁଖ କାରଣ ରହିଛି ରୋଗକୁ ବିଳମ୍ବରେ ଚିହ୍ନଟ, ଭୁଲ ଡାଏଗ୍ନୋସିସ୍ ଓ ଡ୍ରଗ୍ ରେଜିଷ୍ଟାନ୍ସ। ଫଳରେ ଡେରିରେ ଚିକିତ୍ସା ଆରମ୍ଭ କରି ଅନେକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି।
ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍ସ ସଂକ୍ରମଣ ଦେଖିବାକୁ ମିଳିଥାଏ। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ପୂର୍ବରୁ ଓଡ଼ିଶାରେ ସ୍କ୍ରବ୍ ଟାଇଫସ ଦେଖିବାକୁ ମିଳୁ ନ ଥିବା ବେଳେ ବିଗତ କିଛିବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା ନୁହେଁ, ବରଂ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ସଂକ୍ରମଣ ହୋଇଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି।
ଉକ୍ତ ବିଷାକ୍ତ କୀଟ ଗାଁ ଗହଳି ତଥା ଚାଷବାସ କରୁଥିବା ଅଞ୍ଚଳରେ ବିଶେଷ ଭାବେ ରୁହନ୍ତି। ପ୍ରାୟ ପଡ଼ିଆରେ ଖେଳୁଥିବା ପିଲାମାନେ ଏବଂ ଚାଷୀମାନେ ଏହାର ଶିକାର ହେଉଥିବା ଜଣାଯାଇଛି। ଏହି କୀଟ କାମୁଡ଼ିବା ଦ୍ୱାରା ପ୍ରଥମେ ଜ୍ୱର ହୋଇଥାଏ ଏବଂ ମୁଣ୍ଡ, ହାତଗୋଡ ବ୍ୟଥା ହୋଇଥାଏ। ପରେ ଜ୍ୱର ଓ ମୁଣ୍ଡବ୍ୟଥା ବଢ଼ିବା ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ନଷ୍ଟ କରିଦେଇଥାଏ। ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଇଥାଏ। ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ।