ଆଜି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କର ଦ୍ବାଦଶାହ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆଜି ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କର ଦ୍ବାଦଶାହ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ ବିଜେଡିର ସାଙ୍ଗଠନିକ କାର୍ଯ୍ୟକର୍ତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୁଶାନ୍ତ ରାଉତ, ନୃସିଂହ ସାହୁ, ସୁର ରାଉତରାୟ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସୂଚନା ଅନୁସାରେ, ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ ହୋଇଥିଲା। ଶେଷ ଦର୍ଶନ ପାଇଁ ତାଙ୍କ ସଂପର୍କୀୟଙ୍କ ଭିଡ଼ ଜମୁଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସଭବନରେ ପହଞ୍ଚି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପରେ ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା, ଲୋକସେବା ଭବନ ଓ ପରେ ଶଙ୍ଖ ଭବନ ନିଆଯାଇଥିଲା।
ଶେଷରେ ପାର୍ଥିବ ଶରୀରକୁ ତାଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ନିଆଯାଇ ସେଠାରେ ଶେଷକୃତ୍ୟ କରାଯଇଅଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ।