Odisha Link
Bridging the Missing Links in Odisha

ପାଖେଇ ଆସୁଛି ଗଣେଶ ଚତୁର୍ଥୀ, ଉତ୍ସବମୁଖର ପଲ୍ଲୀରୁ ଦିଲ୍ଲୀ

ଓଏଲ୍‌ ବ୍ୟୁରୋ: ଆଗକୁ ଆସୁଛି ବିଘ୍ନ ବିନାଶକ ଉତ୍ସବ। ପ୍ରତିବର୍ଷ ଗଣେଶ ଚତୁର୍ଥୀରେ ପାଳନ ହୋଇଥାଏ ବିଘ୍ନ ବିନାଶକଙ୍କ ପୂଜା। ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ଗଣେଶ ଚତୁର୍ଥୀ ପାଳନକୁ ନେଇ ଉତ୍ସବମୁଖର ହୋଇଉଠିଛି ପଲ୍ଲୀରୁ ଦିଲ୍ଲୀ।

ଓଡ଼ିଶାର ବିଭିନ୍ନ ସ୍ଥାନରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ରଙ୍ଗ ବେରଂଗ ତୋରଣରେ ସଜେଇ ହେଉଛି ଦିଲ୍ଲୀରୁ ପଲ୍ଲୀ। ସନାତନ ହିନ୍ଦୁ ଧର୍ମରେ ଗଣେଶଙ୍କୁ କେବଳ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ। ଯେକୌଣସି ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମେ ଆବାହନ କରାଯାଏ। ଗଣେଶ ସିଦ୍ଧି, ସମୃଦ୍ଧି ଓ ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପ୍ରଥମେ ପୂଜା କରି କାର୍ଯ୍ୟ ଆରମ୍ଭ କଲେ କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହୁଏ ବୋଲି ଗଣେଶ ଅଗ୍ରପୂଜ୍ୟ ଅଟନ୍ତି।

ଶିବ ପୁରାଣ ଅନୁଯାୟୀ, ଥରେ ସମସ୍ତ ଦେବତାମାନେ ମହାଦେବଙ୍କ ନିକଟକୁ ଯାଇ ଦେବତାଙ୍କ‌ ମଧ୍ୟରେ ଜଣଙ୍କୁ ଅଗ୍ରପୂଜ୍ୟ ରୂପେ ଚୟନ କରିବାକୁ କହିଥିଲେ। ମହାଦେବ ଏହି କଥାରେ ସହମତି ହୋଇ କହିଲେ, ଯିଏ ସର୍ବପ୍ରଥମେ ପୃଥବୀକୁ ୩ ଥର ପରିକ୍ରମା କରି ଆସିବ ସେ ହିଁ ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଭାବେ ପରିଗଣିତ ହେବ। ଏହା ପରେ ସବୁ ଦେବତା ନିଜ ବାହାନରେ ପୃଥବୀ ପରିକ୍ରମା ନିମନ୍ତେ ବାହାରି ଗଲେ। ଗଣେଶଙ୍କ ବାହାନ ମୂଷିକ ହୋଇଥିବାରୁ ସେ ପୃଥବୀକୁ ୩ ଥର ପରିକ୍ରମା କରିବା ବିଳମ୍ଭସାଧ୍ୟ ବୋଲି ଜାଣିଥିଲେ।

ଗଣେଶ ନିଜର ବୁଦ୍ଧି ଖଟାଇ, ପିତା ମହାଦେବ ଓ ମାତା ପାର୍ବତୀଙ୍କୁ ୩ ଥର ପରିକ୍ରମା କରି ଦେବତାମାନଙ୍କ ଆଗରେ ଠିଆ ହୋଇଗଲେ। ମହାଦେବ ଓ ପାର୍ବତୀ ଗଣେଶଙ୍କ ଚତୁରତା ଜାଣି ପାରିଲେ ଏବଂ କହିଲେ ଗଣେଶ ତୁମେ ବହୁତ ବୁଦ୍ଧିମାନ। ମାତା ପିତାଙ୍କୁ ପରିକ୍ରମା କରିବାର ଅର୍ଥ ହେଉଛି ତ୍ରିଲୋକକୁ ପରିକ୍ରମା କରିବା। ଏବଂ ପ୍ରତିଯୋଗିତାରେ ଗଣେଶ ବିଜୟ ଲାଭ କରିବା ସହ ଅଗ୍ରପୂଜ୍ୟର ମାନ୍ୟତା ପାଇଲେ। ସେବେଠାରୁ ସମସ୍ତ ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମେ ଆବାହନ କରାଯାଏ।

Leave A Reply

Your email address will not be published.