ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍, ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
![](https://www.odishalink.com/wp-content/uploads/2023/04/niranjan-750x430.jpg)
ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ସ୍କ୍ରବ୍ ଟାଇଫସ୍କୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସ୍କ୍ରବ୍ ଟାଇଫସ୍ ସର୍ଭେଲାନ୍ସ ଭିତରେ ରହିଛି। ଗତବର୍ଷ ୧୦ ହଜାର, ଏବର୍ଷ ଜୁଲାଇ ସୁଦ୍ଧା ୮ ହଜାର ଟେଷ୍ଟିଂ ହୋଇଛି। ରାଜ୍ୟର ସବୁ ଜିଲ୍ଲାରୁ କେସ୍ ଆସୁଛି, ବଲାଙ୍ଗିର ଓ ବରଗଡ଼ରୁ ଅଧିକ। ପ୍ରତି ଜିଲ୍ଲାରେ ଟେଷ୍ଟ ହେଉଛି, ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆରମ୍ଭରୁ ଟେଷ୍ଟ କରି ଆଣ୍ଟିବାୟୋଟିକ ନେଲେ ନିରାକରଣ ହୋଇପାରିବ। ଚିଗର ପୋକ କାମୁଡ଼ିଲେ ଏହି ରୋଗ ହୁଏ, ୩ ସପ୍ତାହରେ ଜ୍ୱର ହୁଏ। ୧୦ ଦିନରେ ଜ୍ୱର ଭଲ ନହୋଇ ଜଟିଳ ହେଲେ ମୃତ୍ୟୁ ଆଶଙ୍କା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।
ବରଗଡ଼ରେ ୫ ଜଣଙ୍କ ଜୀବନ ଯାଇଥିବା ଜଣାପଡିବା ପରେ, ଆତଙ୍କିତ ହୋଇପଡିଛନ୍ତି ଲୋକେ। ଆହୁରି ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଜ୍ୱର ହେଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ସ୍କ୍ରବ ଟାଇଫସ୍ ରୋଗୀ ସଂଖ୍ୟା ବଢୁଥିବାରୁ ସତର୍କ ରହିବାକୁ ସିଡିଏମଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ ୨ ଜଣ ଥିବା ବେଳେ ଅତାବିରା, ଭେଡେନ୍ ଓ ବରପାଲିରୁ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେ ସ୍କ୍ରବ ଟାଇଫସ୍ ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ୨୭ରେ ପହଂଚିଛି।
ବରଗଡ଼ ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଜିଲ୍ଲାରେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ୧୭୮ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେଥିରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏଥିସହ ସେପ୍ଟେମ୍ବର ମାସ ୧୩ ତାରିଖ ସୁଦ୍ଧା ଆଉ ୧୨୭ ଜଣଙ୍କ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରରୁ ସ୍କ୍ରବ ଟାଇଫସ୍ ଠାବ ହୋଇଛି। ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ୪ ଜଣ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।
ସ୍କ୍ରବ ଟାଇଫସ୍ କ’ଣ?
ଚାଷ ଜମି ଓ ଜଙ୍ଗଲରେ ରହିଥାଏ ଲାର୍ଭା ମାଇଟ୍ସ ନାମକ ଏକ ପୋକ। ସେହି ପୋକ କାମୁଡ଼ିବା ପରେ ତା’ ଦେହରେ ଥିବା ଓରିଏଣ୍ଟାଲ୍ ଶୁଶୁକ ନାମକ ଏକ ବ୍ୟାକ୍ଟ୍ରିଆ ମଣିଷ ଶରୀର ଚମକୁ ଚାଲିଯାଇଥାଏ। ଯେଉଁ ସ୍ଥାନରେ ପୋକଟି କାମୁଡ଼ି ଥାଏ, ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଯାଏ। ତା’ପରେ ଛୋଟିଆ ଘା’ ହୋଇଥାଏ। ଯାହାକୁ ସ୍କ୍ରବ ଟାଇଫସ୍ କୁହାଯାଇଥାଏ।
ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍ସ ସଂକ୍ରମଣ ଦେଖିବାକୁ ମିଳିଥାଏ। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ପୂର୍ବରୁ ଓଡ଼ିଶାରେ ସ୍କ୍ରବ୍ ଟାଇଫସ ଦେଖିବାକୁ ମିଳୁ ନ ଥିବା ବେଳେ ବିଗତ କିଛିବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା ନୁହେଁ, ବରଂ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ସଂକ୍ରମଣ ହୋଇଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି।
ଉକ୍ତ ବିଷାକ୍ତ କୀଟ ଗାଁ ଗହଳି ତଥା ଚାଷବାସ କରୁଥିବା ଅଞ୍ଚଳରେ ବିଶେଷ ଭାବେ ରୁହନ୍ତି। ପ୍ରାୟ ପଡ଼ିଆରେ ଖେଳୁଥିବା ପିଲାମାନେ ଏବଂ ଚାଷୀମାନେ ଏହାର ଶିକାର ହେଉଥିବା ଜଣାଯାଇଛି। ଏହି କୀଟ କାମୁଡ଼ିବା ଦ୍ୱାରା ପ୍ରଥମେ ଜ୍ୱର ହୋଇଥାଏ ଏବଂ ମୁଣ୍ଡ, ହାତଗୋଡ ବ୍ୟଥା ହୋଇଥାଏ। ପରେ ଜ୍ୱର ଓ ମୁଣ୍ଡବ୍ୟଥା ବଢ଼ିବା ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ନଷ୍ଟ କରିଦେଇଥାଏ। ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଇଥାଏ। ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ।