କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ: ସାମ୍ନାକୁ ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ
ଓଏଲ୍ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଏନେଇ ଅଭିଯୋଗ ଆଣିଛନ୍ତି। ଏନେଇ ତଦନ୍ତ କ୍ରମେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଯେ, ଭୁଲ୍ ବୁଝାମଣା ହୋଇଛି। ନବଜାତର ବାପାଙ୍କୁ ଖବର ଦେଇଥିବା ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟାନ୍ତର ହୋଇଛି।
ଗଠିତ କମିଟିର ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଭୁଲ ବୁଝାମଣା ଯୋଗୁଁ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଶିଶୁ ଜନ୍ମ ହେବା ପରେ ରଖାଯାଇଥିବା ସମସ୍ତ ପ୍ରମାଣ ଝିଅ ଦର୍ଶାଉଛି। ଶିଶୁ ଜନ୍ମ ହେବା କ୍ଷଣି ଶିଶୁର ମାଆକୁ ସୂଚନା ଦିଆଯାଇଥିଲା। ଶିଶୁର ପିତା ଝିଅ ଗ୍ରହଣ କରିବାକୁ ରାଜି ନ ଥିବାରୁ ପୁଲିସ ପଦକ୍ଷେପ ନେବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।
ସୂଚନା ଅନୁସାରେ, ଘଟଣାର ତଦନ୍ତ କରି ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ହସ୍ପିଟାଲ ନିର୍ଦ୍ଦେଶକ ଏହି କଡା କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ସହ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି। ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି। ଅଭିଯୋଗକାରୀ ଅଭିଯୋଗ ଆଣିଛନ୍ତି ଯେ, ଗତ ୨୫ ତାରିଖ ରାତି ସାଢ଼େ ୧୦ରେ ପୁଅ ହେଲା ବୋଲି ସୂଚନା ଦେଲେ।
ଫଟୋ ଉଠାଇବା ବେଳେ ଝିଅ ହୋଇଥିବା ଦେଖିଲେ ବୋଲି ସେ କହିଛନ୍ତି। ଶିଶୁ ବଦଳ ହୋଇଥିବା ଅଭିଯୋଗ କରିଥିବା ବ୍ୟକ୍ତି କହିଛନ୍ତି, ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ଯାଏଁ ମା’ ଛୁଆଙ୍କୁ ନେବିନି। ତେବେ ଏନେଇ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗ୍ରହଣକରି ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ଦ୍ଦେଶକ। ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ କରିବ। ଦରକାର ପଡ଼ିଲେ ଡିଏନଏ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି।