କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ: ଜବାବ ଦେଲା ବିଜେଡି
ଓଏଲ୍ ବ୍ୟୁରୋ: ଦିନିକିଆ ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା। ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେବେ। ଉତ୍କଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
ଅନ୍ୟପଟେ, ଭୁବନେଶ୍ୱର ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟକୁ ଯାଇଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ। ସେଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।
ଏହା ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, କେନ୍ଦ୍ର ଯୋଜନାରେ କେଉଁଠି ଦୁର୍ନୀତି ହୋଇଛି ତାହାର ପ୍ରମାଣ ଦେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ କେନ୍ଦ୍ରମନ୍ତ୍ରୀ। କେବଳ ଅଭିଯୋଗ କରିଦେଲେ ହେବନି। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଖାଲି ଉଡା କଥା ନ କହିବାକୁ ଦେବୀ ମିଶ୍ର କହିଛନ୍ତି। ରାଜ୍ୟରେ କେଉଁଠି ଦୁର୍ନୀତି ହେଉଛି ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ। ଆଗକୁ ନିର୍ବାଚନ ଥିବାରୁ ଖାଲିରେ ଅଭିଯୋଗ ନ କରନ୍ତୁ ବୋଲି ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି।
ଅନୁରାଗ ଠାକୁର କହିଥିଲେ, ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର ତାଙ୍କୁ ନୋଟିସ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା। ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ହେବ। ଅନୁରାଗ କହିଛନ୍ତି ଦୁର୍ନୀତି ବାବଦରେ ପୂର୍ବରୁ ନୋଟିସ ଦିଆଯାଇଛି ଉତ୍ତର ନମିଳିଲେ ପୁଣି ନୋଟିସ ହେବ।
ସୂଚନା ଅନୁସାରେ, ଖବରକାଗଜ ‘ସମ୍ବାଦ’ ୪୦ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଆଜି ଅପରାହ୍ନରେ ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ ହେବ ବାର୍ଷିକ ଉତ୍ସବ। କାର୍ଯ୍ୟକ୍ରମକୁ ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଅତିଥି ଭାବେ ସାମିଲ ହେବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବେ ବୋଲି ସୂଚନା ରହିଛି।