ବିଶ୍ବକପ୍: ୪୮ ବର୍ଷର ଇତିହାସରେ ଭାରତ ପ୍ରଥମ ଥର ଏକକ ଆୟୋଜକ
ଏହାପୂର୍ବରୁ ୧୯୮୭, ୧୯୯୬ ଓ ୨୦୧୧ରେ ପଡ଼ୋଶୀ ଦେଶମାନଙ୍କୁ ନେଇ ମିଳିତ ଭାବେ ଭାରତ ବିଶ୍ବକପ୍ ଆୟୋଜନ କରିଥିଲା।
ଓଏଲ୍ ବ୍ୟୁରୋ: ବାଜିଲା ବିଗୁଲ। ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍ର ତ୍ରୟୋଦଶ ସଂସ୍କରଣ। ମହାକୁମ୍ଭର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ। ଅପରାହ୍ନ ୨ଟାରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଟିମ୍। ସବୁଠୁ ବଡ଼କଥା ହେଲା ଗତ ୪୮ ବର୍ଷର ବିଶ୍ବକପ୍ ଇତିହାସରେ ଭାରତ ପ୍ରଥମ ଥର ପାଇଁ ଏକକ ଆୟୋଜକ ହୋଇଛି।
ଏହାପୂର୍ବରୁ ୧୯୮୭, ୧୯୯୬ ଓ ୨୦୧୧ରେ ପଡ଼ୋଶୀ ଦେଶମାନଙ୍କୁ ନେଇ ମିଳିତ ଭାବେ ଭାରତ ବିଶ୍ବକପ୍ ଆୟୋଜନ କରିଥିଲା। ଆଉ ସଫଳତାକର ସହ ଭାରତ ଓ ତାର ସହଯୋଗୀ ରାଷ୍ଟ୍ର ମାନେ ଆୟୋଜନ କରିଥିଲେ।
ଚଳିତ ସଂସ୍କରଣରେ ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନେଦରଲାଣ୍ଡ୍ସ ଓ ଆଫଗାନିସ୍ତାନ ଅଂଶଗ୍ରହଣ କରୁଛନ୍ତି। ରାଉଣ୍ଡ ରବିନ ପଦ୍ଧତିରେ ଲିଗ୍ ପର୍ଯ୍ୟାୟ ଖେଳାଯିବ। ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୪୫ଟି ଲିଗ୍ ମ୍ୟାଚ୍ ଖେଳାଯିବ। ନଭେମ୍ବର ୧୫ ତାରିଖରେ ମୁମ୍ବାଇରେ ପ୍ରଥମ ସେମିଫାଇନାଲ୍ ଓ ୧୬ ତାରିଖରେ କୋଲକାତାରେ ଦ୍ବିତୀୟ ସେମିଫାଇନାଲ୍ ଅନୁଷ୍ଠିତ ହେବ। ନଭେମ୍ବର ୧୯ ତାରିଖରେ ଅହମଦାବାଦରେ ଫାଇନାଲ୍ ଖେଳାଯିବ।