ପାର୍ବଣ ଋତୁରେ ଓଡ଼ିଶାକୁ ବାତ୍ୟା ଭୟ! ପୂର୍ବ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର
ଓଏଲ୍ ବ୍ୟୁରୋ: ପାର୍ବଣ ଋତୁରେ ପୁଣିଥରେ ଓଡ଼ିଶାକୁ ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆସିବ ବୋଲି ଚର୍ଚ୍ଚା ହେଉଥିବାବେଳେ ରାଜ୍ୟ ସରକାର ଏନେଇ ତତ୍ପରତା ଦେଖାଇଛନ୍ତି। ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ହୋଇଯାଇଛି। ମୌସୁମୀ ବର୍ଷା ପରେ ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଆସିବାର ପୂର୍ବରୁ ବହୁ ନଜିର ଥିବାରୁ, ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହୋଇ ଓଡ଼ିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳିଥିଲା। ପଶ୍ଚିମା ବାୟୁ ସହ ଜଡ଼ିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିଲା। ଏହା ଓଡ଼ିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡ଼ୁଛି।