ରୁଢୀବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ଝିଅ ରେଶମା
ଓଏଲ୍ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ସହର ମହକୁୁମାରେ ପଠାଣ ସାହିରେ ଦେଖିବାକୁ ମିଳିଛି ଅନନ୍ୟ ଦୃଶ୍ୟ। ବାପାଙ୍କ ପରଲୋକ ପରେ ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛି ଝିଅ। କିଛି ବଡ଼ ସହରରେ ଝିଅମାନେ ମୁଖାଗ୍ନି ଦେଉଥିବା କଥା ହୁଏତ ଆପଣମାନେ ଜାଣିଥିବେ। କିନ୍ତୁ ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ବଡ଼ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି।
ନବରଙ୍ଗପୁର ଜିଲ୍ଲା ପଠାଣସାହି ସ୍ଥିତ କଟେଶ୍ୱର ରାଓଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ଝିଅ ଆଇ. ଭି. ରେଶମା ମୁଖାଗ୍ନି ଦେଇଥିଲେ। କଟେଶ୍ୱର ଜଣେ ସମାଜ ସଂସ୍କାରକ ଥିଲେ। ପୁଅ ଝିଅ ମଧ୍ୟରେ କେବେବି ସେ ପାତରଅନ୍ତର ଦେଖୁ ନଥିଲେ। ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସମାଜର କୁସଂସ୍କାର ଦୂରେଇବା ପାଇଁ ଜୀବନରେ ଅନେକ କାର୍ଯ୍ୟ ସେ କରିଥିଲେ। ତେଣୁ ତାଙ୍କ ମୃତ୍ୟୁ ପରେ ଏହା ବାପାଙ୍କ ପ୍ରତି ଝିଅମାନଙ୍କର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ନବରଙ୍ଗପୁର ସହରବାସୀ କହିଛନ୍ତି।
ବାପାଙ୍କୁ ମୁଖାଗ୍ନି ଦେବା ପରେ ରେଶମା କହିଛନ୍ତି, ‘ଆଜିକାଲି ପୁଅ-ଝିଅଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ। ଛୋଟ ବେଳୁ ମୋ ବାପା ମୋତେ ପୁଅ ଭଳି ଭଲ ପାଇବା, ସ୍ନେହ ଦେଉଥିଲେ। ତାଙ୍କର ଶେଷ ଇଚ୍ଛା ଯାହାଥିଲା, ଆଜି ତାହା ମୁଁ ପୂରଣ କରିଛି।’