ଆସିଲେନି ସମ୍ପର୍କୀୟ, ୨୮ ମୃତଦେହର ଅନ୍ତିମ ସଂସ୍କାର କଲା ବିଏମ୍ସି
ଓଏଲ୍ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାକୁ ୪ ମାସ ପୂରି ସାରିଛି। ହେଲେ ଆଜି ପର୍ଯ୍ୟନ୍ତ ଆହୁରି ୨୮ଟି ମୃତଦେହର ପରିଚୟ ଜଣାପଡ଼ି ନାହିଁ। ସମସ୍ତ ମୃତଦେହକୁ ଗୋଟିଏ କଣ୍ଟେନରରେ ସଂରକ୍ଷଣ କରି ଏମ୍ସ ପରିସରରେ ରଖାଯାଇଥିଲା। ତେବେ ଦୁର୍ଘଟଣାର ଏତେ ଦିନ ପରେ ବି ମୃତଦେହର ପରିଚୟ ନ ମିଳିବା ଚିନ୍ତାର ବିଷୟ ପାଲଟିବାବେଳେ ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି।
ଟ୍ରେନ୍ ଟ୍ରାଜେଡିର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି। ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଉପସ୍ଥିତିରେ ମୃତଦେହକୁ ଡିସପୋଜ୍ ପାଇଁ ପ୍ରକ୍ରିୟା କରାଯାଇଥିଲା। ଡିସପୋଜ୍ ପ୍ରକ୍ରିୟା ପରେ ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା। ଭରତପୁର, ସତ୍ୟନଗର ଶ୍ମଶାନରେ ପାରମ୍ପରିକ କାଠରେ ଶବ ଦାହ କରାଯାଇଛି। ତେବେ ୨୮ ମୃତଦେହ ଫ୍ରିଜରେ ରହିବା ୩/୪ ମାସ ହୋଇଥିବାବେଳେ ଅଧିକ ଦିନ ରହିପାରିବନି ବୋଲି ଏମ୍ସ କର୍ତ୍ତୃପକ୍ଷ କହିଥିଲେ।
ସୂଚନାଥାଉକି, ଜୁନ୍ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ସେଦିନ ରାତି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଲୋପ୍ ଲାଇନ୍ରେ ଛିଡ଼ା ହୋଇଥିବା ମାଲ୍ବାହୀ ଟ୍ରେନ୍କୁ ଧକ୍କା ଦେଇ ଅନ୍ୟ ଏକ ଟ୍ରାକ୍ ଅଭିମୁଖେ ଆସୁଥିବା ୟଶବନ୍ତ ଏକ୍ସପ୍ରେସ୍ ଉପରେ ପଡ଼ିଥିଲା। ଯାହାଫଳରେ ୨୯୪ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।